ବିଶ୍ୱକପ୍ ପାଇଁ ବିଷ ପିଇଲେ…ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିବା ଦୁଃଖରେ ଆତ୍ମହତ୍ୟା ଉଦ୍ୟମ କଲେ କଳାହାଣ୍ଡିର ଯୁବକ

1,271

କନକ ବ୍ୟୁରୋ: ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ହାରି ବିଶ୍ୱକପରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ବ୍ୟାଟିଂ ଆରମ୍ଭରୁ ଟିଭି ସେଟ୍ ଆଗରେ ସ୍ତବ୍ଧ ହୋଇ ବସିଥିବା କୋଟି କୋଟି ଭାରତୀୟ ଶେଷରେ ନିରାଶ ହେବାକୁ ପଡିଥିଲା । ତେବେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ବିଶ୍ୱକପ ଲଢେଇରୁ ବଂଚିତ ହୋଇଛି ଭାରତ । ଯାହାକୁ ଏତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି କ୍ରୀଡା ପ୍ରଶଂସକମାନେ ।

ଏପରିକି କଳାହାଣ୍ଡିର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣକ ବିଷ ପିଇ ଜମିରେ ପଡିଥିବାବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚାଲିଛି ଯୁବକଙ୍କ ଚିକତ୍ସା । ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ସାଧାରଣତଃ ଭାରତ ଏକ କ୍ରିକେଟ ପ୍ରେମୀ ଦେଶ ବୋଲି ସମସ୍ତେ ଜାଣିଥାନ୍ତି । କିନ୍ତୁ ଏହି ପାଗଳାମି ଯେ ଏଭଳି ଚରମ ସୀମାରେ ପହଞ୍ଚିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଖେଳରେ ସବୁବେଳେ ହାରଜିତ୍ ଲାଗି ରହିଛି । ଏହି ଖେଳରେ ଗୋଟିଏ ଦଳ ବିଜୟୀ ହେଲେ ଆଉ ଗୋଟିଏ ଦଳ ନିଶ୍ଚିତ ଭାବରେ ପରାଜିତ ହୋଇଥାଏ । ତେଣୁ ଏହି ଖେଳକୁ ଏତେ ଗୁରୁତର ଭାବେ ନେଇ ଏଭଳି ପଦକ୍ଷେପ ନେବା କେବେ ବି ଠିକ୍ ନୁହେଁ ।