ପୁଣି ସାମ୍ନାକୁ ଆସିଲା ଖାକି ବର୍ଦ୍ଦିର୍ର ଦାଦାଗିରି । ସାମାନ୍ୟ କଥାରୁ ମଝିରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ ମାରିଲେ ପୋଲିସ ବାବୁ

36

କନକ ବ୍ୟୁରୋ: ନିମାପଡା ଓ ନୟାପଲ୍ଲୀରେ ଥାନା ଭିତରେ ଜୁଲମ ପରେ ବରଗଡରେ ବିଚ୍ ରାସ୍ତାରେ ପୋଲିସ ଦେଖାଇଛି ଖାକିର ଦାଦାଗିରି । ସାଧାରଣ କଥାକୁ ନେଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରିଛି ପୋଲିସ । ଆଉ ଏତିକିରେ ରାଗ ଶାନ୍ତ ନହେବାରୁ ଥାନା ହାଜତକୁ ନେଇ ଲହୁଲୁହାଣ କରିଛି । ପୋଲିସର ବର୍ବରତା ବିରୋଧରେ ବରଗଡରେ ଜୋର ଧରିଛି ପ୍ରତିବାଦ ।

ମେ’ ୧୨ ତାରିଖ । ସ୍ଥାନ: ଥାନା ଛକ, ବରଗଡ଼ । ସଂଧ୍ୟା ବେଳେ ପାଟ୍ରୋଲିଂ କରୁଥିଲା ବରଗଡ଼ ପୋଲିସ । ପାର୍କି ଅଂଚଳରେ ଛିଡ଼ା ହୋଇଥିବା ମଣ୍ଡଳ ବ୍ରଦର୍ସ ନାମକ ଦୋକାନର କର୍ମଚାରୀ ଅମିତ ସାହୁଙ୍କ ସହ ହୋଇଥିଲା ପୋଲିସର କଥା କଟାକଟି । ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇଥିଲେ ପାଟ୍ରୋଲିଂ କରୁଥିବା ପୋଲିସ ଅଧିକାରୀ । ଆଉ ଏହା ପରେ ଆରମ୍ଭ ହୋଇ ଯାଇଥିଲା ଜୁଲମ୍ । ଅମିତଙ୍କୁ ନିସ୍ତୁକ ପିଟିଥିଲେ ପୋଲିସ ବାବୁ । ଏତିକିରେ ତାଙ୍କର ମନ ଶାନ୍ତି ହୋଇନଥିଲା କି ଥାନା ହାଜତ ଭିତରେ ରଖି ଅକଥନୀୟ ନିର୍ଯାତନା ମଧ୍ୟ ଦେଇଥିଲେ ।

ସେପଟେ, ପୋଲିସର ବର୍ବରତାର ଅଭିଯୋଗ ଚାହୁଁ ଚାହୁଁ ସହର ସାରା ବ୍ୟାପି ଯାଇଥିଲା । ଏହାର ପ୍ରତିବାଦରେ ଶହ ଶହ ଲୋକ ଏକାଠି ହୋଇ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଥିଲେ । ବରଗଡ଼ ଓକିଲ ସଂଘ, ବ୍ୟବସାୟୀ ସଂଘ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ୍ ଧରିଥିଲେ ସହର ବାସିନ୍ଦା । ପ୍ରାୟ ୩ ଘଂଟା ଧରି ସହରରେ ଚକାଜାମ୍ ହୋଇ ଯାଇଥିବା ବେଳେ ବରଗଡର ଅତିରିକ୍ତ ଏସପି ପହଂଚି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ତେବେ ଆଇନ ଶୃଙ୍ଗଳା ନାଁରେ ପୋଲିସର ଦାଦାଗିରିକୁ ନାପସନ୍ଦ କରିଛନ୍ତି ବରଗଡ଼ ବାସିନ୍ଦା । ନିମାପଡ଼ା, ଭୁବନେଶ୍ୱର ପରେ ବରଗଡ଼ରେ ପୁଣି ପୋଲିସ ବର୍ବରତାର ଅଭିଯୋଗ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି ।