ପରିବାରର ବୋଝ ଉଠାଇବା ପରିବର୍ତେ ନିଜେ ହିଁ ବୋଝ ହୋଇଗଲା ଭେଣ୍ଡିଆ ପୁଅ । ଚିକିତ୍ସା ହେବା ଲାଗି ପାଖରେ ପଇସା ଟିଏ ନାହିଁ, ପୁଅକୁ ଭଲ କରିବା ଲାଗି ସମସ୍ତଙ୍କୁ ଆକୁଳ ନିବେଦନ କରୁଛି ବୁଢୀ ମା

787

କନକ ବ୍ୟୁରୋ : ନିୟତିର ଗତି ବିଚିତ୍ର । ନିୟତିର ନିୟମ ଆଗରେ ସମସ୍ତେ ହୋଇଯାଆନ୍ତି ଅସହାୟ ଓ କବଳିତ । ଯେଉଁ ବୟସରେ ପରିବାର ଗୁଜୁରାଣକୁ ନିଜ ପିଠିରେ ବୋହି ଚାଲିବା କଥା ସେହି ବୟସରେ ନିଜେ ହିଁ ପରିବାର ପାଇଁ ବୋଝ ହୋଇ ଯାଇଛନ୍ତି । ପୁଅ ବଡ ହେଲେ ରୋଜଗାର କରିବ, ପରିବାର ଚଳାଇବ । ଏମିତି ଅନେକ ଆଶା ଥିଲା ମାର । କିନ୍ତୁ ଦୈବର ବରାଦ ଥିଲା କିଛି ଭିନ୍ନ । ପରିବାର ଚଳାଇବ କଣ? ଓଲଟି ବୁଢୀ ମା ଉପରେ ନିଜେ ହିଁ ବୋଝ ହୋଇଗଲା ।

କଟକ ନିଶ୍ଚିତ କୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତର ଫତେପୁର ଗାଁରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏ ହେଉଛନ୍ତି ସର୍ବେଶ୍ୱର ସିଂ, ବୟସ ୪୦ ଡେଇଁଲାଣି । ପରିବାର କହିଲେ ୭୦ ବର୍ଷର ବୁଢୀ ମା ଓ ପୁଅ । ୨୦ ବର୍ଷ ହେଲାଣି ବାପାଙ୍କୁ ହରାଇସାରିଛନ୍ତି । ବାପା ଆରପାରିକୁ ଯିବା ପରେ କଷ୍ଟେ ମଷ୍ଟେ ଚଳିଯାଉଥିଲା ତେଲଲୁଣର ଛୋଟିଆ ସଂସାର । କିନ୍ତୁ ୩ ବର୍ଷ ତଳେ ସବୁ ବଦଳିଗଲା । ଅଚଳ ହୋଇ ଘରେ ବସି ରହିଛି ଭେଣ୍ଡିଆ ପୁଅ । ବିନା ବାଡି ସାହାଯ୍ୟରେ ପାଦେ ଚାଲିବା ବି ସମ୍ଭବ ହେଉନାହିଁ । ଏମିତି ଅବସ୍ଥାରେ ସେ ରୋଜଗାର କରିବେ ବା କେମିତି?

ପୁଅର ଏ କଷ୍ଟ ବି ମା’ ଦେଖିପାରୁନାହିଁ କି କିଛି ଉପାୟ ଚିନ୍ତା ବି କରିପାରୁନାହିଁ । କେମିତି ଭଲ ହେବ ପୁଅ ତାହାକୁ ନେଇ ଚିନ୍ତାରେ ଭାଙ୍ଗିପଡିଲାଣି ବୁଢୀ ମା’ । ଗୋଟିଏ ନୁହେଁ କି ୨ ଟି ନୁହେଁ ଅନେକ ରୋଗରେ ଆକ୍ରାନ୍ତ ପୁଅ ।  ଡାକ୍ତରଙ୍କ କହିବା ଅନୁସାରେ ଆଣଣ୍ଠୁଗଣ୍ଠି ବାତ ସହ ସୋରିଆସିସ, ରକ୍ତଟିବି, ଆଥ୍ରୀଟିସ ପରି ବିଭିନ୍ନ ରୋଗରେ ସେ ପୀଡିତ । ପୁଣି ତଳି ପେଟରେ ଅସ୍ୱାଭାବିକ ଭାବେ ହାଡ ପସିଯାଇଛି । ଏତେସବୁ ରୋଗର ଚିକିତ୍ସା କଥା ଭାବିବା ବେଳକୁୁ ମାର ମୁଣ୍ଡ ବୁଲାଇ ଦେଉଛି ।  ବିଜୁ କୃଷକ କାର୍ଡ ଖଣ୍ଡିଏ ଥିଲେ ବି କିଛି ଲାଭ ହେଉନାହିଁ କି କିଛି ସାହାଯ୍ୟ ବି ମିଳୁନାହିଁ । ଭେଣ୍ଡିଆ ପୁଅକୁ ଭଲ କରିବା ଲାଗି ସମସ୍ତଙ୍କୁ ନେହୁରା ହେଉଛି ବୁଢୀ ମା’  ତେବେ ଯଦି କିଛି ସରକାରୀ ସହାୟତା ମିଳନ୍ତା ତେବେ ନିଶ୍ଚିତ ଭାବରେ ପୁଅ ମୋର ଭଲ ହୋଇଯାଆନ୍ତା ବୋଲି କହିଛି ୭୦ ବର୍ଷର ଏହି ବୁଢୀ ମା । ପୁଅ ପାଇଁ ଗାଁ ଠାରୁ ସରକାର ସମସ୍ତଙ୍କୁ ସାହଯ୍ୟ ପାଇଁ ନିବେଦନ କରୁଛି ଏହି ବୁଢୀ ମା ‘ । ତେବେ ସର୍ବେଶ୍ୱରଙ୍କୁ କେବେ ସହାୟତା ମିଳୁଛି ଓ ସେ ଭଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।