ବୋଝ କହି ଜାନକୀଙ୍କୁ ପର କରିଦେଲା ରକ୍ତର ଭାଇ। ରାସ୍ତା କଡରୁ ଆଦରି ନେଇ ଭାଇର ସ୍ନେହ ଦେଲେ ଯୁବକ

1,410

କନକ ବ୍ୟୁରୋ: ଭାଇ-ଭଉଣୀର ପବିତ୍ର ସଂପର୍କ ଆଗରେ ସବୁ କିଛି ହାର ମାନିଯାଏ । ଭଉଣୀକୁ ସୁରକ୍ଷା ଦେବା ପାଇଁ ଭାଇ କୌଣସି ବି ସ୍ତରକୁ ମଧ୍ୟ ଚାଲିଯାଇପାରେ । ଏପରିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଇନଥାଏ । ସ୍ନେହ, ମମତା, ଭଲ ପାଇବା, ରାଗରୁଷା, ଅଭିମାନରୁ ହିଁ ସୃଷ୍ଟି ହୋଇଥାଏ ଏହି ଭାଇ-ଭଉଣୀର ସଂପର୍କ । ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ନିବିଡ ସଂପର୍କରେ ବନ୍ଧା ହୋଇଥିବା ଏହି ବନ୍ଧନରେ ଯେତେବି ତିକ୍ତତା ଆସିଥାଉ ନା କାହିଁକି ଯଦି ଜଣଙ୍କର କିଛି ହୋଇଯାଏ ତେବେ ତାକୁ ସୁରକ୍ଷା ଦେବା ପାଇଁ ଅନ୍ୟଜଣେ ଢାଲ ହୋଇ ଠିଆହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଭାଇ-ଭଉଣୀର ସଂପର୍କ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ରକ୍ତ ସଂପର୍କ ନଥିଲେ ବି କେହି କାହାକୁ ଛାଡି ରହିପାରୁନାହାନ୍ତି ।

ବୋଝ କହି ନିଜର ଅସହାୟ ଭଉଣୀକୁ ରାସ୍ତା କଡରେ ଛାଡି ଚାଲିଗଲା ମା’ପେଟର ଭାଇ । ଆଉ ଅସହାୟ ଅବସ୍ଥାରେ ପୋଲିଓଆକ୍ରାନ୍ତ ଝିଅଟି ଦୀର୍ଘ ସମୟ ଧରି ସେହିଭଳି ରାସ୍ତାରେ କଡରେ ପଡି କାନ୍ଦୁଥାଏ । ସେହି ବାଟ ଦେଇ ବହୁତ ଲୋକ ଯାଉଥିଲେ ଆଉ ଆସୁଥିଲେ ହେଲେ କେହି ଜଣିଏ ହେଲେବି ଆସି ଝିଅଟିର ଦୁଃଖ ବୁଝିବାକୁ ସାହସ୍ କରିନଥିଲେ । କିନ୍ତୁ ଏହି ସମୟରେ ଦେବଦୂତ ଭଳି ପହଂଚିଥିଲେ ଜଣେ ଯୁବକ । ଆଉ ତାକୁ କାନ୍ଦିବାର କାରଣ ପଚାରିଥିଲେ । ଏବଂ ଝିଅଟିର ହୃଦୟବିଦାରକ କାହାଣୀ ଶୁଣିବା ପରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ।

କଙ୍କଡାହାଡ ବ୍ଲକ୍ ଚକୁରିଆ ଗାଁରେ ରୁହନ୍ତି ପାଣୁଆ ସିଂ । ବିବାହିତ ହୋଇଥିବା ବେଳେ ପତ୍ନୀ, ୨ ଝିଅ ଓ ଗୋଟିଏ ପୁଅକୁ ନେଇ ପାଣୁଆଙ୍କ ପରିବାର । ଦିନ ମଜୁରିଆ ଭାବେ କାମ କରୁଥିବା ପାଣୁଆ କାମରୁ ଫେରିୁଥିବା ବେଳେ ୭ ବର୍ଷ ପୂର୍ବେ ଗାଁ ରାସ୍ତାକଡରେ ଏକ କୁନିଝିଅ ଅସହାୟ ଅବସ୍ଥାରେ ବସି କାନ୍ଦୁଥିବାର ଦେଖିଥିଲେ । ପାଖକୁ ଯାଇ ପଚାରିବାରୁ ଜାଣିବାକୁ ପାଇଥିଲେ କି, ଝିଅଟିର ଘର ଆଖୁଆପାଳ ଗାଁରେ ଆଉ ତାର ନାଁ ଜାନକୀ ମୁଣ୍ଡା । ତେବେ ବାପାମାଆଙ୍କ ମୃତ୍ୟୁ ପରେ ଭାଇ ପାଖରେ ସେ ରହୁଥିଲା । ମାତ୍ର ପୋଲିଓଆକ୍ରାନ୍ତ ହୋଇଥିବାରୁ ସେ ଚାଲିବୁଲି ପାରୁନଥିବାରୁ ବୋଝ ଭାବି ଭାଇ ତାକୁ ଛାଡି ଦେଇ ପଳାଇଥିବା ଝିଅଟି କାନ୍ଦି କାନ୍ଦି କହିଥିଲା । ଏହାପରେ ଜାନକୀକୁ ପାଣୁଆ ନିଜ ଘରକୁ ନେଇ ଆସିଥିଲେ । ତାର ଭାଇ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗାଁରେ ରହୁନଥିବାରୁ ତାଙ୍କୁ ପାଇନଥିଲେ ।

ଅନ୍ୟ କୌଣସି ଉପାୟ ନପାଇଁ ସେହିଦିନଠୁ ଜାନକୀକୁ ନିଜ ଭଉଣୀ ଭଳି ପାଳି ଆସୁଛନ୍ତି ପାଣୁଆ । ମଜୁରି କାମ କରି ଯାହା ରୋଜଗାର କରୁଛନ୍ତି । ସେଥିରେ ସେ ପୂରା ପରିବାର ଚଳାଉଛନ୍ତି । ଜାନକୀକୁ ଭିନ୍ନକ୍ଷମ ଭତ୍ତା ମିଳୁଥିବା ବେଳେ ଆଧାରକାର୍ଡ ନଥିବାରୁ ଏବେ ଭତ୍ତା କାଟିଦିଆଯିବ ବୋଲି ପଂଚାୟତ ପକ୍ଷରୁ କୁହାଯାଇଛି । ତେବେ ଏହି ଘଟଣାକୁ ସାତ ବର୍ଷ ବିତି ଗଲାଣି । ଇତି ମଧ୍ୟରେ ଜାନକୀ ବି ସାବାଳିକା ହୋଇସାରିଲାଣି । କିନ୍ତୁ ତାଙ୍କୁ କେବେ ବି ନିଜ ପାଖରୁ ଦୂରେଇ ଦେବାକୁ ଚାହୁଁନାହାନ୍ତି ପାଣୁଆ । ନିଜ ମା ପେଟର ଭଉଣୀ ଭଳି ସ୍ନେହ ଆଦର ଦେଇ ପାଳୁଛନ୍ତି । ନିରାଶ୍ରୟ ଅସହାୟ ଯୁବତୀଙ୍କୁ ନିଜ ପରିବାରର ସଦସ୍ୟ କରି ଅବିବେକି ମଣିଷ ସମାଜ ପାଇଁ ଉଦାହରଣ ସାଜିଛନ୍ତି ପାଣୁଆ ସିଂ ।