ଭିଡ ଯୋଗୁଁ ବଗି ବଦଳାଇବାରୁ ବଞ୍ଚିଗଲା ଜୀବନ,  ବାହାନଗା ଦୁର୍ଘଟଣାରୁ ଜୀବନ ଫେରି ପାଇଲେ ବସ୍ତାର ଯୁବକ 

642

କନକ ବ୍ୟୁରୋ: ବାହାନଗାର ସେ ରକ୍ତ ରଞ୍ଜିତ ଦୁର୍ଘଟଣା ଅନେକଙ୍କ ପ୍ରାଣ ନେଲା ପରେ ଅଳ୍ପକେ ବର୍ତି ଯାଇଛନ୍ତି ବାଲଶ୍ୱର ବସ୍ତା ଅଞ୍ଚଳର ଯୁବକ । ସେଦିନର ସେଇ ଲୌହ ଦାନବର ତାଣ୍ଡବରୁ ବଞ୍ଚିଯିବା ପରେ ଯୁବକ ଜଣଙ୍କ କହିଛନ୍ତି ସେ, ମୃତ୍ୟୁ ମୁହଁରୁ ଜୀବନ ଧରି ଫେରିଛନ୍ତି । ମାମୁଁଙ୍କ ସହ ବୁଲିବାକୁ ଯାଉଥିଲେ ବସ୍ତା ବ୍ଲକ ଦୁଧହଂସା ଗାଁର ଗୌରାଙ୍ଗ ବେହେରାଙ୍କ ଏକ ମାତ୍ର ପୁଅ ଶୁଭ୍ରାଂଶୁ ବେହେରା । ମାମୁଁ- ଭଣଜା ଦୁଇ ଜଣ ଆନ୍ଧ୍ରପ୍ରଦେଶ ବିଜୟୱାଡା ଯିବା ପାଇଁ ବାଲେଶ୍ୱର ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲେ ।

କରମଣ୍ଡଳରେ ରିଜରଭେସନ ଟିିକେଟ୍ କରିଥିଲେ ମଧ୍ୟ ଭିଡ ଯୋଗୁଁ  ଇଂଜିନ ପାଖ ଦିବ୍ୟାଙ୍ଗ ବଗିରେ ଚଢିଯାଇଥିଲେ । ଏହା ବୋଧେ ତାଙ୍କ ଜୀବନ ବଂଚାଇବା ପାଇଁ ଭଗବାନଙ୍କ ଆଗୁଆ ନିର୍ଦେଶ ଥିଲା । ବାଲେଶ୍ୱରରେ ଟ୍ରେନରେ ବସିବା ପରେ ମାଆଙ୍କ ସହ ଫୋନରେ କଥା ହୋଇଥିଲେ ଶୁଭ୍ରାଂଶୁ । ମାଆଙ୍କ ଫୋନ କାଟିବାର ମାତ୍ର କେଇ ମିନିଟ୍ ଭିତରେ କଡ ଲେଉଟାଇ ଥିଲା କରମଣ୍ଡଳ । ମୃତ୍ୟୁ ତାଣ୍ଡବ ରଚିଥିଲା ବାହାନଗାର ଟ୍ରିପଲ ଟ୍ରେନ ଦୁର୍ଘଟଣା । ହେଲେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଶୁଭ୍ରାଂଶୁ । ତେବେ କେମିତି ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ବାହାରିଥିଲେ ଶୁଭ୍ରାଂଶୁ । କିଏ ତାଙ୍କୁ ଉଦ୍ଧାର କରିଥିଲେ, କେମିତି ଲୋକଙ୍କ ଉପରେ ଚଢି ଟ୍ରେନର ଝରକା ପଟେ ମୁଣ୍ଡ ଗଳେଇ ଉଦ୍ଧାର କରିବାକୁ ଡାକିଥିଲେ । କନକ ନ୍ୟୁଜ କ୍ୟାମେରା ସାମ୍ନାରେ କହିଛନ୍ତି କରମଣ୍ଡଳର ଯାତ୍ରାର କରୁଣ କାହାଣୀ  ।