କନକ ବ୍ୟୁରୋ : ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ନିଖୋଜ । ମହାନଦୀରେ ବୁଡି ଯାଉଥିବା ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନିଖୋଜ ହୋଇଯାଇଛି । ଏଭଳି ଏକ ଅଘଟଣ ଘଟିଛି ବାଙ୍କି ମହାନଦୀ ଦେବିଦ୍ୱାର ଘାଟରେ । ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଅରୁଣ କୁମାର ରାଉତରାୟ । ସୂଚନା ମୁତାବକ, ଗତକାଲି ଅରୁଣ ତାଙ୍କ ସାନ ଭାଇ ଏବଂ କିଛି ସାଙ୍ଗଙ୍କ ସହ ଦେବିଦ୍ୱାର ଘାଟ ଭୋଜି କରିବାକୁ ଯାଇଥିଲେ ।

Advertisment

ମହାନଦୀରେ ପ୍ରବଳ ସ୍ରୋତ ଥିବା ବେଳେ ଅରୁଣଙ୍କ ସାନ ଭାଇ ପାଣିରେ ଭାସିଯାଉଥିଲେ । ଏହି ସମୟରେ ବଡ ଭାଇ ଅରୁଣ ତାଙ୍କୁ ବଞ୍ଚାଇବାକୁ ନଦୀକୁ ଡେଇଁଥିଲେ । ଏବଂ ତାଙ୍କ ସାନ ଭାଇକୁ ବଞ୍ଚାଇବାରେ ସଫଳ ହୋଇଥିଲା । କିନ୍ତୁ ନିଜେ ନଦୀ ପାଣିର ସ୍ରୋତ ଭିତରକୁ ଚାଲି ଯାଇଥିଲେ । ଆଉ ଚାହୁଁ ଚାହୁଁ ମହାନଦୀ ପାଣିରେ ନିଖୋଜ ହୋଇଯାଇଥିଲେ । ପରେ ଅଗ୍ନିଶମ ବାହୀନି ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜତ ଜାରି ରଖିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ ।