କନକ ବ୍ୟୁରୋ: ଆଜିର ଏହି ସ୍ୱାର୍ଥପର ଦୁନିଆରେ ଯେଉଁଠି ନିଜର ରକ୍ତ ପର ହୋଇଯାଉଛି ଆଉ ସେହି ଦୁନିଆରେ ଏମିତି ବି ଲୋକ ଅଛନ୍ତି,ସତେ ଯେପରି ଦେବଦୂତ ସାଜି ଅସହାୟଙ୍କ ପାଇଁ ଛିଡା ହୋଇଥାନ୍ତି ଆଉ ପାଲଟି ଯାଇଥାନ୍ତି ସେମାନଙ୍କ ପାଇଁ ଆତ୍ମୀୟ ସ୍ଵଜନ। ଆଉ ସମାଜରେ ଉପେକ୍ଷିତ,ଅଦରକାରୀ ହୋଇ ସହର ବଜାର ରାସ୍ତା କଡରେ ଘୁରି ବୁଲୁଥିବା ସେହି ମଣିଷଙ୍କପାଇଁ ସେମାନେ ପାଲଟିଛନ୍ତି ଦେବଦୂତ। ଦୁନିଆରେ ନିଜ ପରିଚୟ ହଜାଇ ଥିବା ସେହି ମାନସିକ ଅନଗ୍ରସର ମଣିଷଙ୍କ ପାଇଁ କେହି ନଥିଲେ ମଧ୍ୟ ସେମାନଙ୍କ ପାଇଁ ଏମାନେ ହେଉଛନ୍ତି ନିରାଶ୍ରୟର ଆଶ୍ରୟ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ। ସଚେତନ ନାଗରିକ ମଂଚ ନାମରେ ଏକ ସ୍ବେଛାସେବୀ ସଂଗଠନ ଗଠନ କରିଛନ୍ତି ଏହି ଅଂଚଳର କିଛି ଯୁବକ ଆଉ ଦୁନିଆରେ ନିଜର ପରିଚୟ ହଜାଇ ଥିବା ମଣିଷଙ୍କର ପରିଚୟ ଖୋଜି ଆଣିବାରେ ସେମାନଙ୍କୁ ମିଳୁଛି ଆତ୍ମ ସନ୍ତୋଷ ।
ରାସ୍ତା କଡରୁ ଲମ୍ବା ଦାଢ଼ି ଯୁକ୍ତ ମୁକୁଳାକେଶ ଏବଂ ଖଣ୍ଡିଆ ଖାଵରା ରୋଗାକ୍ରାନ୍ତ ବ୍ୟକ୍ତି ଜଣକ ହେଲେ ବିରେନ୍ଦ୍ର ସିଂ ଦାନୀ। ସୁଦୂର ମଧ୍ୟପ୍ରଦେଶ ଗିରିଜା ଜିଲ୍ଲା ଭୋପାଲ ଗାଁରେ ତାଙ୍କର ଘର। ଗତ ୬/୭ ବର୍ଷ ହେବ ମାନସିକ ରୋଗୀ ଭାବେ ଘୁରି ବୁଲୁଥିଲେ।ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ।ବିଡ଼ମ୍ବନାର ବିଷୟ ଏ ଲୋକଟି ସମସ୍ତଙ୍କ ପାଇଁ ଅପରିଚିତ ଥିଲେ।
କିନ୍ତୁ ଏହି ସ୍ବେଛାସେବୀ ସଂଗଠନ ଯୁବକମାନଙ୍କର ନଜର ପଡିଥିଲା ତାଙ୍କ ଉପରେ ଆଉ ନିଜ ଆତ୍ମୀୟ ଭଳି ଉଠାଇ ଆଣି ଚିକିତ୍ସା କରିଥିଲେ।ତାଙ୍କ ଦାଢ଼ି କାଟିବାଠାରୁ ଆରମ୍ଭ କରି ଗାଧୋଇ ଦେବା, ଖାଇବାକୁ ଦେବା, ଏପରିକି ଚିକିତ୍ସା ସମୟରେ ବି ତାଙ୍କ ପାଖେ ପାଖେ ରହି ସେବା କରି ଚାଲିଥିଲେ । ଆଉ ଏମାନଙ୍କ ନିଷ୍ଠା ଓ ସେବା ଫଳରେ ସେ ପୁରା ସମ୍ପୂର୍ଣ ସୁସ୍ଥ ଅବସ୍ଥାକୁ ଫେରି ଆସିଛନ୍ତି ଓ ଅପରିଚିତ, ଅସହାୟ ଥିବା ମଣିଷ ନିଜକୁ ନିଜେ ଚିହ୍ନି ପାରିଛି ଓ ନିଜ ପରିଚୟ ଦେଇ ପାରିଛି।
ଖାଲି ସେତିକି ନୁହେଁ ବିରେନ୍ଦ୍ରଙ୍କ ଭଳି ଅନେକ ଅସହାୟ ମାନସିକ ରୋଗୀ ଏବେ ଚାହିଁ ବସିଥାନ୍ତି ଏହି ଅନୁଷ୍ଠାନର ଯୁବକ ମାନଙ୍କୁ।ସେମାନଙ୍କ ଦେହପା କେମିତି ଅଛି ଜାଣିବା,ସେମାନଙ୍କୁ ଖାଇବାକୁ ଦେବା,ଭଲ ମନ୍ଦ କଥା ବୁଝିବା ଏସବୁ ଏହି ଅନୁଷ୍ଠାନର ଯୁବକମାନଙ୍କର ନୀତି ଦିନିଆ କାମ।ନିଜ କର୍ମମୟ ଜୀବନରୁ କିଛି ସମୟ ବାହାର କରି ଏମାନେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ଏଭଳି ମହତ କାର୍ଯ୍ୟ କରି ବହୁ ମାନସିକ ଅବହେଳିତ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ସୁସ୍ଥ କରି ପାରିଛନ୍ତି।ଆଉ ଏମାନେ ଠିକ ବୁଝିଛନ୍ତି "ମାନବ ସେବାହିଁ ମାଧବ ସେବା"। ସତରେ ସମସ୍ତେ ସ୍ୱାର୍ଥପର ନୁହନ୍ତି,ଏବେବି ମରିନି ମଣିଷ ପଣିଆ ଆଉ ଏମାନଙ୍କ ଭଳି ଆଜିର ଯୁବପିଢ଼ିମାନଙ୍କ ଭିତରେ ଏଭଳି ଚିନ୍ତା ଚେତନା ଜାଗ୍ରତ ହେଲେ ଭଗବାନଙ୍କ ଏହି ଦାନ ମଣିଷ ଜନ୍ମ,ଏକ ଦୁର୍ଲଭ ଜନ୍ମ ବୋଲି ପ୍ରମାଣିତ ହେବ।
Follow Us
/kanak/media/post_attachments/wp-content/uploads/2019/11/Screen-Shot-2019-11-15-at-5.59.40-PM-300x240.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-15-at-5.59.20-PM-211x300.png)
/kanak/media/post_attachments/wp-content/uploads/2019/11/Screen-Shot-2019-11-15-at-5.59.10-PM-158x300.png)