ନିର୍ବାଚନ ସମୟରେ ରୋଜଗାର ଗ୍ୟାରେଣ୍ଟି ଦେଇଥିଲା ବିଜେପି । ଏବେ ରୋଜଗାର ନାମରେ ଶ୍ରମିକଙ୍କୁ ଇସ୍ରାଏଲ ପଠାଇବାକୁ ଚାଲିଛି ପରୀକ୍ଷା

763

କନକ ବ୍ୟୁରୋ : ଭାରତ ସରକାର ଓ ଇସ୍ରାଏଲ ମଧ୍ୟରେ ରୋଜଗାରକୁ ନେଇ ହୋଇଥିବା ଚୁକ୍ତି କ୍ରମରେ ଏବେ ହରିଆଣା ସରକାର ୧୦ ହଜାର ବେରୋଜଗାରଙ୍କୁ ରୋଜଗାର ଦେବାକୁ ଘୋଷଣା କରିଛନ୍ତି । ଏନେଇ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟ ଠାରେ ଇସ୍ରାଏଲରେ ଚାକିରୀ ପାଇଁ ପରୀକ୍ଷା ନିଆଯାଉଛି । ଏହା ୬ ଦିନ ପର୍ଯ୍ୟନ୍ତ ଚାଲିବ ।

ଏହି ଚାକିରୀ ପାଇଁ ହରିଆଣାର ଯୁବକଙ୍କୁ ପ୍ରାଥମିକତା ଦିଆଯାଉଛି । ଇସ୍ରାଏଲରେ ଯୁଦ୍ଧ ଚାଲିଛି । ଏହା ପରେ ବି ଭାରତରେ ବେରୋଜଗାର ସମସ୍ୟା ଏତେ ଅଧିକ ଯେ, ଯୁବକମାନେ ଜୀବନକୁ ବାଜି ଲଗାଇ ଇସ୍ରାଏଲରେ ଚାକିରୀ କରିବାକୁ ଆଗ୍ରହ ଦେଖାଉଛନ୍ତି । ପରୀକ୍ଷା ଦେଉଥିବା ଯୁବକମାନେ କହିଛନ୍ତି କି, ଭାରତରେ ରୋଜଗାର ମିଳୁନାହିଁ । ବେରୋଜଗାରୀ କାରଣରୁ ସେମାନେ ଇସ୍ରାଏଲ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଅନ୍ୟ କିଛି ଯୁବକ କହିଛନ୍ତି କି, ମୃତ୍ୟୁ ତ ନିଶ୍ଚିନ୍ତ ଦିନେ ଆସିବ । ହେଲେ ଭାରତରେ ଭୋକ ଉପାଶରେ ଜୀବନ କାଟିବା ଅପେକ୍ଷା ଜୀବନକୁ ବାଜି ଲଗାଇ ଇସ୍ରାଏଲ ଯାଇ ରୋଜଗାର କରିବାକୁ ସେମାନେ ପଶନ୍ଦ କରନ୍ତି । ଏହା ସହ ଭାରତ ଠାରୁ ଇସ୍ରାଏଲରେ ଅଧିକ ଦରମା ମିଳୁଛି ।

ସେପଟେ ଏମଡିୟୁର ପିଆର ନିର୍ଦ୍ଦେଶକ ସୁନୀତ ମୁଖାର୍ଜୀ କହିଛନ୍ତି କି, ଇସ୍ରାଏଲ ଓ ଭାରତ ସରକାରଙ୍କ କୋଠା ନିର୍ମାଣ, ରଙ୍ଗ କାମ, ଓ ଚାଷକାମ ପାଇଁ ଶ୍ରମିକ ଯୋଗାଇବାକୁ ଚୁକ୍ତି ହୋଇଛି    ।