ରାଜଧାନୀରେ ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର : ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ରଂଜିତ ନାୟକ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

351

କନକ ବ୍ୟୁରୋ : ଭୁବନେଶ୍ୱର କଳ୍ପନା ନିକଟରେ ଥିବା ଜିମ୍ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଜଣଙ୍କ ହେଲେ ରଂଜିତ ନାୟକ । ରଂଜିତଙ୍କ ଘର ୬ ନମ୍ବରରେ ହୋଇଥିବା ବେଳେ ସେ ଜିମ୍ ରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ହେଲେ ପରିବାର ଲୋକ ରଂଜିତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଯଦିଓ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ, ରଂଜିତଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରଞ୍ଜିତ ଜିମ୍‌ରେ ପ୍ରାୟ ଦୁଇ ବର୍ଷ ହେଲା ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ବାଇକ୍‌ ଧରି ଡ୍ୟୁଟିକୁ ଆସିଥିଲେ। ଆଜି ସକାଳେ ଜିମ୍‌ର କର୍ମଚାରୀ ସେଠାରୁ ଯିବା ସମୟରେ ଗାମୁଛାରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ଗୋଡ଼ ଦୁଇଟି ତଳେ ଲାଗିଥିଲା। ନିକଟରେ ତାଙ୍କର ବାଇକ୍‌ ରହିଥିବା ବେଳେ ଚାବି ଲାଗିଥିଲା। ସେହିପରି ଆଉ ଏକ ଗାମୁଛା ମଧ୍ୟ ତଳେ ପଡ଼ିଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ତାଙ୍କୁ କେହି ହତ୍ୟା କରି ଗାମୁଛାରେ ଟାଙ୍ଗି ଦେଇଛି ବୋଲି କହିଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ ପେଟ, କାନ ମୁଣ୍ଡା ନିକଟରେ ପରିବାର ଲୋକ କେତେକ ଦାଗ ଦେଖିଥିଲେ।

ତେଣୁ ତାଙ୍କୁ ଆଘାତ ଦିଆଯାଇଥିବା ଅଭିଯୋଗ କରିଥିଲେ। ପେଟରେ ଛୁଞ୍ଚି ଭଳି ଥିବା ଦାଗ ପିମ୍ପୁଡ଼ି କାମୁଡ଼ା ଯୋଗୁଁ ହୋଇଥାଇ ପାରେ ବୋଲି ଡାକ୍ତର କହିବା ପରେ ଏହାକୁ ନେଇ ହସ୍ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପର୍କୀୟମାନେ ଶବ ବ୍ୟବଚ୍ଛେଦ ଗୃହର କାଚ ଝରକା ଭଙ୍ଗାରୁଜା କରିଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଫୋର୍ସ ସହ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ଅନ୍ୟପକ୍ଷରେ ରଞ୍ଜିତ କାମ କରୁଥିବା ସିକ୍ୟୁରିଟି ଗାର୍ଡ ସଂସ୍ଥା ତାଙ୍କୁ ତିନି ମାସର ଦରମା ଦେଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ପଛର ଏହା ଏକ କାରଣ ହୋଇଥାଇ ପାରେ ବୋଲି ସେମାନେ କହିଛନ୍ତି। ସେହିପରି ସିକ୍ୟୁରିଟି ସଂସ୍ଥାର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।