ଡହଡହ ଖରାରେ ପକ୍ଷୀମାନେ ଶୋଷିଲା ରହିବେନି ବୋଲି… ଭୁବନେଶ୍ୱରର ବିଭିନ୍ନ ଗଛରେ ପାଣିପାତ୍ର ବାନ୍ଧୁଛନ୍ତି ପକ୍ଷୀପ୍ରେମୀ ।
କନକ ବ୍ୟୁରୋ: ଏ ସହରରେ କିଏ ବା କାହାର ? ଧାଁ ଦୌଡର ଜୀବନ ଭିତରୁ ବାହାରି ଅଧ ରାତିରେ ହେଉ କି ନିଛାଟିଆ ଖରାବେଳେ ମଣିଷ ଯେତେବେଳେ ନିଜ ଭିତରେ ହଜି ନିଜକୁ ଖୋଜେ ନିଜକୁ ପଚାରେ, ହୁଏତ ସେବେ ସେ କାହାକୁ ପାଏନା । କାରଣ ଏଠି କାଁ ଭାଁ ସମ୍ପର୍କର ମୂଲ୍ୟ ବୁଝୁଥିବା ମଣିଷ ମିଳନ୍ତି । ହାତଗଣତି ହୃଦୟବାନ ଓ ମଣିଷପଣିଆ ଭର୍ତ୍ତି ଭଲଲୋକ ଭେଟ ହୁଅନ୍ତି । ଏଠି ମଣିଷ ମଣିଷକୁ ବେଳ ପଡିଲେ ପଚାରେନା । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଏଠି ନିଇତି ଧାଏଁ ମେସିନ ମୁହାଁ ମଣିଷ । ଆଉ ସେମିତି ସହର, ସେମିତି ସ୍ଥିତିରେ ପଶୁପକ୍ଷୀଙ୍କ କଥା ପଚାରେ ବା କିଏ ? ହଁ ସେମିତି କହିହେବନି ଯେ, ଏ ସମାଜରେ ପଶୁପ୍ରେମୀ ନାହାନ୍ତି ବୋଲି । ଅଛନ୍ତି, କିଏ ଦାମୀ କୁକୁରକୁ ଏସି ରୁମରେ ଶୁଆଏ ତ କିଏ ଶୁଆ ଶାରୀ ଘରେ ରଖି ତାଙ୍କର ଯତ୍ନ ନିଏ । ହେଲେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କ ପାଇଁ ଖୁବ କମ ଲୋକଙ୍କ ପ୍ରାଣ କାନ୍ଦେ । ଆଉ ସେମାନଙ୍କ ମଧ୍ୟରୁ ଏମାନେ ହେଉଛନ୍ତି କିଛି ହୃଦୟବାନ ମଣିଷ ଯେଉଁମାନଙ୍କ ମନ ପକ୍ଷୀଙ୍କ ପାଇଁ ଅସ୍ଥିର ହୋଇଛି । ଆଉ ଏ ଡହଡହ ଖରାରେ ସେମାନେ ବାହାରି ଆସିଛନ୍ତି ସେମାନଙ୍କ ସେବା ଶୁଶୃଷା କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ…

Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର- ଚାରିଆଡେ କୋଠାବାଡି, କଂକ୍ରିଟର ଜଙ୍ଗଲ । ଏଠି ଠାଏଁ ଠାଏଁ ଖରା, ଛାଇ ନଦିଏ ଧରା । ଗଛ ଆଉ ଦେଖିବାକୁ ମିଳୁନି । ରୂପାନ୍ତରଣ ଓ ବିକାଶ ବାହାନାରେ ସହର ଛାତିରୁ ସଫା କରିଦିଆ ଯାଉଛି ବଡ ବଡ ଗଛ । ବୃକ୍ଷ ବିହୁନେ ପକ୍ଷୀ ବେଘର ହେଉଛନ୍ତି । ବେସାହାରାର ଟ୍ୟାଗ୍ ନେଇ ଉଡିବୁଲିଥିବା ପକ୍ଷୀ ଅକାଳରେ ମରି ବି ଯାଉଛନ୍ତି । ମଣିଷ ହୋଇଥିଲେ ସିନା ବେଘର ହେବା ପରେ ପ୍ରତିବାଦ କରନ୍ତେ ହେଲେ ସେମାନଙ୍କର ତ କୌଣସି ସରକାର ନାହାନ୍ତି, ପାଟି ବି ଖୋଲୁନି- ଇସାରାରେ ପ୍ରତିବାଦ କଲେ ଶୁଣିବ ବା କିଏ । ତେଣୁ ଏ ଖରାଟାରେ ଏଠି ସେଠି ବୁଲି ଖାଦ୍ୟ ଓ ପାଣିର ସନ୍ଧାନ କରନ୍ତି ।
ହେଲେ ଏମାନେ ଭଳି କିଛି ଲୋକ ପକ୍ଷୀଙ୍କ ପାଇଁ ଦେବଦୂତ ସାଜନ୍ତି । ସେମାନଙ୍କ ସେବା କରିବାକୁ ଆଗେଇ ଆସନ୍ତି । ଭୁବନେଶ୍ୱରରେ ୟୁଥ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କୁ ପକ୍ଷୀଙ୍କ ସୁରକ୍ଷା ଏବଂ ଖରା ଦିନେ ସେମାନଙ୍କୁ ପାଣି ପିଏଇବାକୁ ମାଟି ପାତ୍ର ଦାନ କରୁଛନ୍ତି ।
କଳିଙ୍ଗ ନଗର, ଗଙ୍ଗନଗର, ସମ ହସ୍ପିଟାଲ ଅଞ୍ଚଳରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଗଛକୁ ଚଢି ପକ୍ଷୀଙ୍କ ପାଇଁ ମାଟି ପାତ୍ର ବନ୍ଧା ଯାଉଛି । ଏବଂ ସ୍ଥାନୀୟ ଲୋକଙ୍କୁ ପକ୍ଷୀଙ୍କ ସୁରକ୍ଷା ପାଇଁ ସଚେତନ କରାଯାଉଛି । ଯାହା ଏକ ସୁନ୍ଦର ପଦକ୍ଷେପ । ଗାଡି ମୋଟରର କେଁ କାଁ ଶବ୍ଦ ଭିତରେ ମଣିଷ ନିଜ ପାଇଁ ବି ସମୟ ପାଉ ନଥିବା ବେଳେ ଅନେକ ଲୋକ ଗାଡିରେ ଯାଉ ଯାଉ ପଶୁ ପକ୍ଷୀଙ୍କ ସେବା କରିବାକୁ ମନ ବଳାନ୍ତି ହେଲେ ସମୟ ଏବଂ ଆନ୍ତରିକତା ଅଭାବରୁ ସେ ଇଚ୍ଛା ଫଳସୃତି ହୋଇପାରେନି । ମାତ୍ର ଯେଉଁମାନେ ପଶୁପକ୍ଷୀଙ୍କ ସେବାରେ ନିଜକୁ ନିୟୋଜିତ କରୁଛନ୍ତି ସେମାନଙ୍କୁ ସମସ୍ତେ ପ୍ରେରଣା ଦେବା ଉଚିତ । ସରକାରୀ ସ୍ତରରେ ପକ୍ଷୀମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ଉଚିତ । ଯାହା ଦ୍ୱାରା ସୁନ୍ଦର ସହର ଭୁବନେଶ୍ୱରରେ କେବଳ ମଣିଷ ନୁହେଁ ପଶୁପକ୍ଷୀ ବି ଶାନ୍ତିରେ ଜିଇଁପାରିବେ ।