ବିଦେଶୀ କୁକୁଡ଼ା ଓ ବତକ ଫାର୍ମ କରି ଆତ୍ମନିର୍ଭର ହୋଇଛନ୍ତି ବାଲିଆପାଳର ଯୁବ ଉଦ୍ୟୋଗୀ ଜଗନ୍ନାଥ । ସ୍ଥାନୀୟ ଅଂଚଳର ଯୁବକଙ୍କୁ ବି ଦେଇଛନ୍ତି ରୋଜଗାର

908

କନକ ବ୍ୟୁରୋ : ରୋଜଗାର ଦେଉଛି ବିଦେଶୀ କୁକୁଡା ଚାଷ । ବିଭିନ୍ନ ପ୍ରକାର ବିଦେଶୀ କୁକୁଡା ଚାଷ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି ବାଲିଆପାଳର ଯୁବ ଉଦ୍ୟୋଗୀ ଜଗନ୍ନାଥ ସାମନ୍ତରାୟ । ନିଜେ ସ୍ୱାବଲମ୍ବୀ ହେବା ସହିତ ସ୍ଥାନୀୟ ଅଂଚଳର ଯୁବକଙ୍କୁ ଦେଇଛନ୍ତି ରୋଜଗାର । ଜଗନ୍ନାଥଙ୍କର ଏହି ଫାର୍ମରେ ୫ ପ୍ରକାର ଦେଶୀ କୁକୁଡା ସହିତ ୨୦ରୁ ଅଧିକ ପ୍ରକାରର ବିଦେଶୀ କୁକୁଡା ଓ ବତକ ରହିଛନ୍ତି । ଆରଆଇ ଆର, ଏଫଏଫଜି, କଡକନାଥ, କେରଳ ବ୍ରିଡ, ଟର୍କି, ସିଲକି, ଗିନିଫଲ ପ୍ରଜାତିର ବିଦେଶୀ କୁକୁଡା ଓ ଇଣ୍ଡିଆନ ରନର, ଖାକି କ୍ୟାମ୍ପବେଲ, ହ୍ୱାଇଟ ପେକଇନ୍ ଭଳି ବିଭିନ୍ନ ପ୍ରକାରର ବତକ ରଖି ବ୍ୟବସାୟ କରୁଛନ୍ତି ଜଗନ୍ନାଥ ।

ପିଲାଟି ଦିନରୁ ବ୍ୟବସାୟ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ ଜଗନ୍ନାଥ । ଚାକିରି କରିବା ଅପେକ୍ଷା ବ୍ୟବସାୟ କରି ସ୍ୱାଧୀନ ଭାବରେ ବଂଚିବା ତାଙ୍କର ଥିଲା ଲକ୍ଷ୍ୟ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ବସ୍ତାନୀରେ ଡୋରି ବାନ୍ଧୀ ବ୍ୟବସାୟ କରିବା ପାଇଁ ଅଂଟା ଭିଡିଥିଲେ । କେଉଁ ବ୍ୟବସାୟ କରିବେ ଚିନ୍ତା କରୁ କରୁ ଗ୍ରାମାଂଚଳରେ ଲୋକେ କୁକୁଡା ପାଳୁଥିବା ତାଙ୍କ ନଜରକୁ ଆସିଥିଲା । ସେହି କୁକୁଡାରୁ ଭଲ ବ୍ୟବସାୟ କରିହେବ ବୋଲି ମନସ୍ଥ କଲେ । ଘରୁ ମାତ୍ର ୫ ହଜାର ଟଙ୍କା ନେଇ ଏହି ଚାଷ ଆରମ୍ଭ କଲେ । ଯାହା ତାଙ୍କୁ ଭଲ ବ୍ୟବସାୟୀରେ ପରିଣତ କରି ପାରିଛି । ମାତ୍ର ୫ ବର୍ଷ ଭିତରେ ୫ ହାଜାର ଟଙ୍କାର ବ୍ୟବସାୟକୁ ୫୦ ଲକ୍ଷ ଟଙ୍କାରେ ପହଂଚାଇ ପରିଛନ୍ତି । ଏଥିରୁ ସେ ମାସକୁ ୫୦ ରୁ ୬୦ ହଜାର ଟଙ୍କା ରୋଜଗାର କରିବା ସହିତ ତାଙ୍କ ଫାର୍ମରେ ୫ ରୁ ୬ ଜଣକୁ ନିଯୁକ୍ତି ଦେଇଛନ୍ତି ।

ବିଶାଖାପାଟଣା ଏବଂ କଲିକତାର ଦୁଇଟି କମ୍ପାନୀ ସହିତ ବନ୍ଧୁତ୍ୱ ସ୍ଥାପନ କରି ସେଠାରେ ଅଣ୍ଡାରୁ କୁକୁଡା ଓ ବତକ ଛୁଆ ଫୁଟାଇ ତାଙ୍କ ଫର୍ମରେ ରଖି ବ୍ୟବସାୟ କରୁଛନ୍ତି ଜଗନ୍ନାଥ । ସେ ଓଡିଶା ସମେତ ଦେଶର ବିଭିନ୍ନ୍ ସ୍ଥାନରେ ତାଙ୍କ ଫାର୍ମରୁ ଉତ୍ପାଦିତ କୁକୁଡା ଓ ବତକ ବିକ୍ରୀ କରୁଛନ୍ତି । ଏହା ସହିତ ଅନ ଲାଇନ ମାଧ୍ୟମରେ ମଧ୍ୟ କାରବାର କରୁଛନ୍ତି । ଏହା ବାଦ ଇଣ୍ଡିଆ ମାର୍ଟ, ଟ୍ରେଡ ଇଣ୍ଡିଆ, ଦୋକାନ ଆପ୍ ସାଇଟରେ ଜଗନ୍ନାଥ ଫାର୍ମ ଆଇଡି ଖୋଲି ବ୍ୟବସାୟ କରୁଛନ୍ତି ଜଗନ୍ନାଥ ।