ବିଦେଶରେ ଚାକିରି ଲୋଭ ଦେଖାଇଲେ । ମିଛ ଅଫର ଲେଟର ସହ ଫ୍ଲାଇଟ ଟିକେଟ ଦେଇ ଭୁଆଁ ବୁଲାଇଲେ, ୪୫ ଜଣ ଯୁବଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଲା ଠକ ସଂସ୍ଥା ।

295

କନକ ବ୍ୟୁରୋ : ବିଦେଶରେ ଚାକିରି ଦେବାକୁ କହି ଯୁବକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ଏରାଉଣ୍ଡ ଦ ୱାର୍ଲ୍ଡ ନାମକ ଠକ ସଂସ୍ଥା ଚାକିରି ଆଶାୟୀ ଯୁବକଙ୍କ ଠାରୁ ଟଙ୍କା ସହ ପାସପୋର୍ଟ ନେଇ ରାତି ଅଧରେ ଫେରାର ହୋଇଯାଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ଧିରେ ଧିରେ ଠକ ସଂସ୍ଥାର ଗୁମର ଫିଟୁଛି ।

ବେକାର ଯୁବକଙ୍କୁ ବିଦେଶରେ ନିଯୁକ୍ତି ଦେଉଥିବା କହି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଅଫିସ ଖୋଲିଥିଲା ଏରାଉଣ୍ଡ ଦ ୱାର୍ଲ୍ଡ ନାମକ ଏକ ସଂସ୍ଥା । ଗଞ୍ଜାମ ସମେତ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ଡାକବାଜି ଯନ୍ତ୍ର ସହାଯ୍ୟରେ ନିଜର ପ୍ରଚାର କଲା । ପରେ ଚାକିରି ଖୋଜୁଥିବା ଖଲ୍ଲିକୋଟ, ବେଗୁନିଆପଡା, ଖୋର୍ଦ୍ଧାର ବାଣପୁର ଓ ନିଳାଦ୍ରିପ୍ରସାଦରୁ ୪୫ ଜଣ ଯୁବକ ସଂସ୍ଥା ସହ ଯୋଗାଯୋଗ କଲେ । ଏମାନଙ୍କ ଠାରୁ ପାସପୋର୍ଟ ନେଇ ସଂସ୍ଥା ପକ୍ଷରୁ ମିଛ ଅଫର ଲେଟର, ନକଲି ଭିସା ଓ ଦୁବାଇକୁ ଯିବା ପାଇଁ ଫ୍ଲାଇଟ ଟିକଟ୍ ଦିଆଗଲା । ଏହା ବାବଦକୁ ଜଣଙ୍କ ଠାରୁ ୫୦ ରୁ ୬୦ ହଜାର ଟଙ୍କା ଲେଖାଏଁ ନେଲା । ଯେଉଁ ତାରିଖରେ ବିଦେଶ ଯିବା କଥା ସେଦିନ ଏରାଉଣ୍ଡ ଦ ଓାରର୍ଲ୍ଡ ଅଫିସରେ ପହଂଚିଲା ବେଳକୁ ସେଠାରେ କେହି ନଥିଲେ । ଲୋକଙ୍କ ଟଙ୍କା ଓ ପାସପୋର୍ଟ ନେଇ ଠକ ସଂସ୍ଥା ଫେରାର ହୋଇଯାଇଥିଲା ।

ଏନେଇ ଚାକିରି ଆଶାୟୀ ଯୁବକ ମାନେ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଯୁବକମାନେ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଘଟଣା ଘଟିଥିବାରୁ ସରକାର ଏ ଦିଗରେ ଦୃଷ୍ଟି ଦେଇ ଠକ ସଂସ୍ଥା ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି ଠକେଇର ଶିକାର ଯୁବକ । ରାଜ୍ୟରେ ଅନେକ ବେକାର ଯୁବକ ଯୁବତୀ ଚାକିରି ଅନ୍ୱେଷଣରେ ଅଛନ୍ତି । କିନ୍ତୁ ବିଦେଶରେ ଭଲ ଟଙ୍କାରେ ଚାକିରି ମିଳିବା ଆଶାରେ ଯୁବକମାନେ ଏହିଭଳି ଠକ ସଂସ୍ଥାର ଶିକାର ବନୁଛନ୍ତି ।ଲଗାତାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଭଳି ଠକେଇକୁ ରୋକିବାକୁ ପୋଲିସ ବିଭାଗ ବିଫଳ ହୋଇଛି ।