ରାଜଧାନୀରେ ରହସ୍ୟମୟ ଛୁରାମାଡ : ଯୁବତୀ ବେଶରେ ପଡୋଶୀ ଘରକୁ ଯାଇଥିଲେ ଯୁବକ; ଘଟଣା ପଛର କାରଣକୁ ନେଇ ବଢ଼ୁଛି ଚର୍ଚ୍ଚା

103

କନକ ବ୍ୟୁରୋ : ରାଜଧାନୀରେ ରହସ୍ୟମୟ ଛୁରା ମାଡକୁ ନେଇ ଚର୍ଚ୍ଚା । ଯୁବତୀ ବେଶରେ ଯୁବକ ଜଣକ ପଡ଼ୋଶୀଙ୍କ ଘରେ ପଶିଥିବା ବେଳେ ଘଟିଥିଲା ଏହି ଅଭାବନୀୟ ଘଟଣା । ତେବେ କେଉଁ ଉଦେଶ୍ୟରେ ଯୁବକ ଜଣକ ଯୁବତୀ ବେଶରେ ପଡ଼ୋଶୀଙ୍କ ଘରେ ପଶିଥିଲେ, ଛୁରା ମାଡ କାହିଁକି ଘଟିଲା ଏବେ ବି ପୂରା ଘଟଣା ସ୍ପଷ୍ଟ ହୋଇନାହିଁ । ଭୁବନେଶ୍ୱରର ଚନ୍ଦ୍ରଶେଖପୁର ଥାନା ଅଧିନ ଶୈଳଶ୍ରୀ ବିହାରର ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି ।

ପୁଲିସ ଉଭୟ ପକ୍ଷରୁ ବୟାନ ଗ୍ରହଣ କରିଥିଲେ ବି ଘଟଣା ପଛର ରହସ୍ୟ ଭେଦ କରିପାରିନି । ଘଟଣା ପଛରେ ଅସଫଳ ପ୍ରେମ କାହାଣୀ ରହିଛି କି ଯୁବକ ଜଣକ ମାନସିକ ବିକାରଗ୍ରସ୍ତ, ତାହା ବି ସ୍ପଷ୍ଟ ହୋଇପା‌ରୁନାହିଁ । ତେବେ ଏକପାଖିଆ ପ୍ରେମ ପ୍ରତ୍ୟାଖ୍ୟାନ ହେବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି । ସେହିଭଳି ଲୁଟ୍‌ ପାଇଁ ଏହା ଏକ ଅଭିନବ ଯୋଜନା ହୋଇପାରେ ବୋଲି କିଛି ଲୋକ କହୁଛନ୍ତି । ପୁଲିସ ଘଟଣାସ୍ଥଳରୁ ଏକ ଖେଳଣା ବନ୍ଧୁକ ଓ ରକ୍ତଭିଜା ଛୁରି ଜବତ କରି ଅଧିକ ତଦନ୍ତ ଚଳାଇଛି ।

ସମୟ ଦିନ ସାଢେ ୧୨ଟାରେ ଶୈଳଶ୍ରୀ ବିହାର ଭିଆଇଏମ୍-୧୮୬ରେ ହଠାତ୍ ଘର ଭିତରକୁ ପଶିଗଲେ ଯୁବତୀ ବେଶରେ ଜଣେ ହଟାକଟା ଯୁବକ । ଯୁବକ ଜଣଙ୍କ ଯୁବତୀଙ୍କ ଭଳି ବେଶଭୂଷା ହୋଇଥିଲେ । ମୁଣ୍ଡରେ ହେଲମେଟ, ପାଦରେ ମହିଳା ଚପଲ ଆଉ ହାତରେ ଥିଲା ମାରାଣାସ୍ତ୍ର । କେହି ଜଣେ ଯୁବତୀ କବାଟ ବାଡ଼ାଉଥିବା ଭାବି ପ୍ରଫେସର ମିଶ୍ରାଙ୍କ ସ୍ତ୍ରୀ ଓ ଝିଅ କବାଟ ଖୋଲିଥିଲେ। ତେବେ ସେମାନେ କବାଟ ଖୋଲୁ ଖୋଲୁ ରୂପେଶ ଏକ ଛୁରିରେ ମା’ ଓ ଝିଅଙ୍କୁ ଆକ୍ରମଣ କରିଥିଲା। ଯୁବତୀଙ୍କ ପେଟରେ ଛୁରି ଭୁସି ଦେଇଥିଲା। ମାତ୍ର ସୌଭାଗ୍ୟକୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ମା’ ମଧ୍ୟ ଛୁରି ମାଡ଼ରେ ଆହତ ହୋଇଥିଲେ ।

ଅତର୍କିତ ଆକ୍ରମଣ ହେଲେ ବି ମା’ ଓ ଝିଅ ସାହସ ଜୁଟାଇଥିଲେ ଏବଂ ମୁକାବିଲା କରିଥିଲେ। ସେମାନେ ରୂପେଶକୁ କାବୁ କରି ବହେ ପିଟିଥିଲେ। ଫଳରେ ରୂପେଶ ମଧ୍ୟ ରକ୍ତାକ୍ତ ହୋଇପଡ଼ିଥିଲା । ମୁଣ୍ଡରେ ହେଲ୍‌ମେଟ୍‌ ଓ ମ୍ୟାକ୍ସି ପିନ୍ଧିଥିବାରୁ ସେତେବେଳ ପର୍ଯ୍ୟନ୍ତ ସେମାନେ ଜାଣିପାରିନଥିଲେ ଯେ ଦୁର୍ବୃତ୍ତ ଜଣକ ଜଣେ ଯୁବକ, ପୁଣି ତାଙ୍କ ପଡ଼ୋଶୀ ରୂପେଶ ବୋଲି। ଧସ୍ତା‌ଧସ୍ତି ଓ ପାଟି ଶୁଣି ପାଖ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା ପରେ ସବୁ କଥା ଜଣାପଡ଼ିଲା। ରୂପେଶକୁ ଏମିତି ବିଚିତ୍ର ବେଶପୋଷାକରେ ଦେଖି କଲୋନିବାସୀ ହତବାକ୍‌ ହୋଇପଡ଼ିଥିଲେ । ଲୋକଙ୍କୁ ଦେଖି ରୂପେଶ ମଧ୍ୟ ସଂଜ୍ଞାହୀନ ହୋଇପଡ଼ିଥିଲା । ପରେ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚି ୩ ଜଣଙ୍କୁ ହସ୍ପିଟାଲ ନେଇଥିଲା ।

ପୋଲିସର ସୂଚନା ଅନୁସାରେ କିଛି ବୁଝିବା ଆଗରୁ ମାଆ ଓ ଝିଅଙ୍କୁ ଚୋଟ ପକାଇଥିଲେ ଯୁବକ ଜଣଙ୍କ । ଆଉ ନିଜକୁ ରକ୍ଷା କରିବାକୁ ଯାଇ ମାଆ ଆଉ ଝିଅ ମଧ୍ୟ ଯୁବକଙ୍କୁ ହାଣିଥିଲେ । କିଛି ସମୟର ଧସ୍ତାଧସ୍ତି ପରେ ଜଣାପଡିଥିଲା ମହିଳା ବେଶରେ ମରଣାନ୍ତକ ଆକ୍ରମଣ କରିଥିବା ଏହି ଯୁବକ ହେଉଛନ୍ତିି ପଡୋଶୀ ରୁପେଶ ପଣ୍ଡା । ଛୁରା ମାଡରେ ମାଆ, ଝିଅ ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରୁପେଶ ପଣ୍ଡା ମଧ୍ୟ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଉଭୟ ପଡୋଶୀଙ୍କ ଭିତରେ ଛୁରୀ ମାଡ ହୋଇଛି । ହେଲେ ପ୍ରଥମେ କିଏ, କାହାକୁ, କାହିଁକି ଆଉ କେଉଁ ଉଦେଶ୍ୟରେ ଛୁରା ମାଡ କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଅନ୍ୟପଟେ ରୁପେଶ ପଣ୍ଡା କହିଛନ୍ତି, କିଛି ଯୁବକ ତାଙ୍କୁ ଅପହରଣ କରି ଜୋର ଜବରଦସ୍ତ ପଡୋଶୀଙ୍କୁ ଆକ୍ରମଣ କରିବା ପାଇଁ ବାଧ୍ୟ କରିଥିଲେ । ତେବେ ଏହି ଘଟଣାରେ ଆଉ କିଏ କିଏ ଅଛନ୍ତି, ଏ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ ।