ନିଜ ଜାଲରେ ନିଜେ ଫସିଲା ଠକ: ବାଲିଅନ୍ତା ଅଂଚଳରେ ଠକୁଥିବାବେଳେ ନାବାର୍ଡର ନିର୍ଦ୍ଦେଶକ ପରିଚୟ ଦେଇ ଫସିଗଲେ ନକଲି ନାବାର୍ଡ ଅଧିକାରୀ

536

କନକ ବ୍ୟୁରୋ: ନିଜକୁ ନାବାର୍ଡ ନିର୍ଦ୍ଦେଶକ  ପରିଚୟ ଦେଇ ଜଣେ ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକଙ୍କଠାରୁ ଠକିବାକୁ ଆସି ଫସିଯାଇଛି ଧୂର୍ତ ।  ପୂର୍ବରୁ  ନିଜକୁ  ଓମଫେଡ ନିର୍ଦ୍ଦେଶକ କହି  ସେ ହି ପ୍ରାଣୀଧନ ନିରୀକ୍ଷକଙ୍କଠାରୁ  ଅଢେଇ ହଜାର ଟଙ୍କା  ଠକି ନେଇଥିବା ଧୂର୍ତ ଏଥର କିନ୍ତୁ  ନିଜ ଜାଲରେ  ନିଜେ ଛନ୍ଦି ହୋଇଯାଇଛନ୍ତି । ଏହି  ନକଲି ନିର୍ଦ୍ଦେଶକଙ୍କ ନାମ ଅସ୍ମିତ ସେଠୀ ।  ଉତ୍ୟକ୍ତ ଲୋକେ ତାଙ୍କୁ ଧରି  ପୁଲିସରେ ଜିମା ଦେଇଛନ୍ତି ।  ବାଳକାଟି ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଘଟଣା ଅନୁସାରେ,  ଗତକାଲି ପ୍ରାୟ ସାଢେ ଗୋଟାଏବେଳେ  ଅସ୍ମିତ ଏକ କାରରେ ଆସି ଅବସରପ୍ରାପ୍ତ ପ୍ରାଣୀଧନ ନିରୀକ୍ଷକ ଡମ୍ବରୁଧର ବିଶ୍ୱାଳଙ୍କ ବାଲିଅନ୍ତା ଅଂଚଳର ଶିଶିଲୋ ଗାଁ ଘରେ ପଂହଚିଥିଲେ ।  ନିଜକୁ ନାବାର୍ଡର ଅଧିକାରୀ ଭାବେ ପରିଚୟ ଦେଇଥିଲେ  ଓ ଅଫିସ କାଗଜପତ୍ର ଯାଂଚ ପାଇଁ  କହିଥିଲେ ।  ଏଥିରେ ଡମ୍ବରୁଧର ସନ୍ଦେହ ପ୍ରକାଶ କରି ଗାଁ ଲୋକଙ୍କୁ କହିଥିଲ ।  ଏହା ପରେ ଗାଁ ଲୋକେ ଅସ୍ମିତଙ୍କୁ ଘେରିଯାଇଥିଲେ ଓ ପରିଚୟପତ୍ର ଦେଖାଇବାକୁ ଅଡିବସିଥିଲେ ।

ଏହାପରେ ନକଲି ନାବାର୍ଡ ଅଧିକାରୀ ଅସ୍ମିତ ଫସିଯାଇଥିଲେ ।  ପରେ ପୁଲିସ ଘଟଣାସ୍ଥଳରେ ପଂହଚି ଅସ୍ମିତଙ୍କୁ ଫାଣ୍ଡିକୁ ନେଇଯାଇଥିଲେ ।  ପୂର୍ବରୁ ଅସ୍ମିତ ନକଲି ଓମଫେଡ ନିର୍ଦ୍ଦେଶକ ଭାବେ ଟଙ୍କା ଠକିଥିବା ବି ଅଭିଯୋଗ ରହିଛି । ଅସ୍ମିତ ନକଲି ନିର୍ଦ୍ଦେଶକ ସାଜିବା ପଛରେ କି କାରଣ ରହିଛି ପୁଲିସ ଘଟଣାର ଛାନଭିନ କରୁଛି ।