ସିଦ୍ଧାନ୍ତର ସଂକଳ୍ପ: ମୁଁ ମୋ ଗାଁ ପିଲାଙ୍କୁ ପାଠ ପଢାଇବି, ଶିକ୍ଷିତ କରାଇବି

577

କନକ ବ୍ୟୁରୋ: ଦୂର ଦିଗବଳୟରୁ ସୁନ୍ଦର ଦିଶୁଛି ସବୁଜିମାର ପାହାଡ । ଆଉ ପ୍ରକୃତି ଛାତିରେ ଛିଡା ହୋଇଥିବା ଏ ପାହାଡର ସୌନ୍ଦର୍ଯ୍ୟକୁ ଢାଙ୍କି ଦେଇଛି ଆକାଶର ବାଦଲ । ଠିକ୍ ସେମିତି ପାହାଡ ପାଖରେ ଥିବା ଏଇ ପବଲା ଗାଁକୁ ଦୀର୍ଘ ଶହେ ବର୍ଷ ହେବ ଢାଙ୍କି ଦେଇଥିଲା ଅଶିକ୍ଷାର ଓଦା ବାଦଲ । ଦଶ ଦଶନ୍ଧି ଧରି ପବଲା ଗାଁରେ ପଡିନଥିଲା ପାଠର ‘ପ’ ଅକ୍ଷର, କି ଶୁଭିନଥିଲା ଅ ଆ, ପଣକିଆର ଡାକ । କାରଣ ଗାଁରେ କେହି ଶିକ୍ଷିତ ନଥିଲେ କି ଶିକ୍ଷା କଣ ବୁଝିନଥିଲେ ।

ହେଲେ ଏବେ ବଦଳିଛି ପବଲା ଗାଁର ଇତିହାସ । ଦୀର୍ଘ ଶହେ ବର୍ଷ ପରେ ପାହାଡି ଗାଁର ଇତିହାସ ଭାଙ୍ଗି ପ୍ରଥମ କରି ମାଟ୍ରିକ ପାସ କରିଛି ଗାଁର ପୁଅ ସିଦ୍ଧାନ୍ତ ପ୍ରଧାନ । ଆଉ ସିଦ୍ଧାନ୍ତ ମାଟ୍ରିକର ପାହାଡ ଡେଇଁବା ପରେ ଏବେ ପବଲା ଗାଁକୁ ଘାରିଛି ପାଠର ନିଶା, ଶିକ୍ଷାର ଜ୍ୱର ।

ତେବେ ଗାଁଠୁ ଅଙ୍ଗନବାଡି ୪ କିଲୋମିଟର ଦୂରରେ ଥିବାରୁ ପାଦରେ ଚାଲି ଚାଲି ଯିବା ପିଲାଙ୍କ ପାଇଁ ଅସମ୍ଭବ । ତେଣୁ ପିଲାଙ୍କ ପାଠ ପଢାକୁ ନେଇ କେବେ ସ୍ୱପ୍ନ ଦେଖନ୍ତିନି ସେମାନଙ୍କ ବାପାମାଆ । ହେଲେ ଗାଁର କୁନି କୁନି ଭାଇଭାଉଣୀଙ୍କୁ ନେଇ ଏବେ ନୂଆନୂଆ ସ୍ୱପ୍ନ ଦେଖିଛି ସିଦ୍ଧାନ୍ତ, ନିଜେ ଯେଉଁ ସଂଘର୍ଷ କରି ଏତେବାଟ ଆସିଛି ସେ ଅସୁବିଧା ତା ଗାଁ ପିଲାଙ୍କୁ ଭୋଗିବାକୁ ଦେବନି । ସେ ପିଲାଙ୍କୁ ପାଠ ପଢାଇ ଆଉ ଭଲ ମଣିଷ କରିବ ଏଇ ସିଦ୍ଧାନ୍ତ ନେଇ ସେମାନଙ୍କୁ ଶିକ୍ଷାଦାନ କରୁଛି ସିଦ୍ଧାନ୍ତ । ଆଉ ପିଲା ବି ପାଠ ପଢିବାକୁ ବହି ବସ୍ତାନୀ ଧରି ସିଦ୍ଧାନ୍ତଙ୍କ ପାଖକୁ ଧାଉଁଛନ୍ତି । ସକାଳ ହେବା କ୍ଷଣି ଅ ଆ, ଏବିସିଡି ଆଉ ୧ ୨ ଡାକରେ ଫାଟି ପଡୁଛି ପବଲା ଗାଁ । ସିଦ୍ଧାନ୍ତଙ୍କ ପାଖରେ ପଢୁଥିବା ସବୁ ପିଲାଙ୍କ ଗୋଟିଏ ଲକ୍ଷ୍ୟ ଆମେ ପାଠ ପଢିବା ଆଉ ସିଦ୍ଧାନ୍ତ ଭାଇ ଭଳି ହେବା…

ଦିଏ ଯେଉଁ ଗାଁକୁ ଦାଦନର ଗାଁ କୁହାଯାଉଥିଲା । ଦାଦନ ଶ୍ରମିକ ଲୋଡା ପଡିଲେ ଯେଉଁ ଗାଁରେ ଦିନେ ଦଲାଲ ହାଜର ହେଉଥିଲେ ଆଜି ସେ ଗାଁରେ ଶିକ୍ଷାର ଦୀପ ଜଳିଛି । ଅଶିକ୍ଷାର ଅନ୍ଧାରକୁ ହଟାଇ ସିଦ୍ଧାନ୍ତ ସବୁ ପିଲାଙ୍କୁ ଶିକ୍ଷାର ଆଲୋକ ଦେଖାଉଛନ୍ତି । ଆଉ ସିଦ୍ଧାନ୍ତଙ୍କ ଏ ସ୍ୱପ୍ନକୁ ସତ କରିବାକୁ ସହଯୋଗର ହାତ ବଢାଇଛି ସାଥି ପରିବାର । ସିଦ୍ଧାନ୍ତଙ୍କ ଏହି ପ୍ରଚେଷ୍ଟା ପାଇଁ ତାଙ୍କୁ ମାସିକ ହଜାରେ ଟଙ୍କା ସାହାଯ୍ୟ କରିବାକୁ ସାଥିବାର ନିଷ୍ପତ୍ତି ନେଇଛି । ତେବେ ଶିକ୍ଷା ପାଇଁ ସିଦ୍ଧାନ୍ତଙ୍କ ଏ ସଂକଳ୍ପ ସଫଳ ହେଉ ଆଉ ପବଲା ଗାଁର ପିଲା ଶିକ୍ଷିତ ହୁଅନ୍ତୁ ଏହା ସମସ୍ତଙ୍କ ଇଚ୍ଛା ।