କନକ ବ୍ୟୁରୋ : କଂଗ୍ରେସ ଏବେ ନିଜ ଦଳର ନେତ୍ରୀ ଅଙ୍ଗକିତା ଦତ୍ତାଙ୍କୁ ଦଳରୁ ୬ବର୍ଷ ପାଇଁ ବହିସ୍କାର କରିଛି । ଅଙ୍ଗକିତା କିଛିଦିନ ତଳେ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିବି ଓ ପ୍ରଭାରୀ ସଚିବ ବର୍ଦ୍ଧନ ଯାଦବଙ୍କ ନାମରେ ଉତ୍ପୀଡନ ଅଭିଯୋଗ ଆଣିଥିଲେ । ଅଙ୍ଗକିତା ଯୁବ କଂଗ୍ରେସର ଆସାମ ମୁଖ୍ୟ ଥିଲେ । ଦଳ ତାଙ୍କୁ ଏବେ ୬ବର୍ଷ ପାଇଁ ବହିସ୍କୃତ କରିଛି । ଅଙ୍ଗକିତାଙ୍କ ଉପରେ ଦଳ ବିରୋଧୀ ଗତିବିଧୀରେ ସାମିଲ ହୋଇଥିବା ଦର୍ଶାଇ ତାଙ୍କୁ ବହିସ୍କାର କରାଯାଇଛି । ଗୋଟିଏ ଦିନ ପୂର୍ବରୁ ଅଙ୍ଗକିତାଙ୍କୁ କଂଗ୍ରେସ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

Advertisment

ଆସାମ କଂଗ୍ରେସର ଅଧ୍ୟକ୍ଷ ଭୂପେନ ବୋରା ଗୁରୁବାର ଦିନ ଅଙ୍ଗକିତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଅଙ୍ଗକିତା ୨ଜଣ କଂଗ୍ରେସ ନେତାଙ୍କ ବିରୋଧରେ ହଇରାଣ କରିବା ଓ ଭେଦଭାବ କରିବା ଭଳି ଅଭିଯୋଗ ଆଣିଥିଲେ । ଏହାସହ କଂଗ୍ରେସ ନେତା ଶ୍ରୀନିବାସ ବିବିଙ୍କ ବିରୋଧରେ ଗୋହ୍ୱାଟିର ଦିଶାପୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ କରିନାହିଁ । ସେପଟେ ଗତ ମଙ୍ଗଳବାର ଦିନ ଟ୍ୱିଟରରେ ଅଙ୍ଗକିତା ଲେଖିଥିଲେ କି ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିବି ତାଙ୍କୁ ଲଗାତର ହଇରାଣ କରିବା ସହ ତାଙ୍କ ସହ ଲିଙ୍ଗଗତ ଆଧାରରେ ଭେଦଭାବ କରୁଛନ୍ତି ।

ଅଙ୍ଗକିତା ଏହି ଟ୍ୱିଟକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲେ । ଏହାସହ ସେ ଅନ୍ୟଏକ ଟ୍ୱିଟରେ ଲେଖିଥିଲେ କି ଜଣେ ପୁରଷମାନସିକତାବାଦୀ ନେତା କିଭଳି ଯୁବ କଂଗ୍ରେସର ନେତୃତ୍ୱ ନେଇ ପାରିବେ ? ଯେ, ପ୍ରତିଟି କଥାରେ ମହିଳାଙ୍କୁ ପ୍ରତାଡିତ ଓ ଅପମାନିତ କରୁଛନ୍ତି ତାଙ୍କ ସହ କିଭଳି କାମ କରାଯାଇପାରିବ ।