ମମିତା ମୃତ୍ୟୁ ମାମଲା : ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ; ବାଣିବିହାରରେ ଛାତ୍ରଙ୍କ ବିକ୍ଷୋଭ

164

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ଦେଖାଇଥିଲେ । ଘଟଣାରେ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖିଛି ପୁଲିସ । ସେହିପରି ଉତ୍କଳ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏପରିକି ମମିତା ମେହେର ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି ପବିତ୍ର ଶିକ୍ଷାନୁଷ୍ଠାନରେ ବିଭତ୍ସ କାର୍ଯ୍ୟ ଚାଲୁଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୁକ୍ତି ଅଭିଯୋଗ ଥିବାରୁ ତାଙ୍କୁ ବରଖାସ୍ତ କରିବା ସହ ଗିରଫ ଦାବି କରିଛି ବିଜେପି । ମମିତା ମେହେରଙ୍କ ଲାପଟପ, ମୋବାଇଲ ଓ ପେନ ଡ୍ରାଇଭରୁ ଅନେକ ତଥ୍ୟ ରହିଥିବା ପରିବାର ଲୋକ କହିଛନ୍ତି ।

ସେପଟେ, ମମିତା ମେହେର ମୃତ୍ୟୁ ମାମଲାରେ ଆଜି କଳାହାଣ୍ଡି ବନ୍ଦ । ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ବନ୍ଦ ପାଇଁ ଗାଡ଼ି ଚଳାଚଳ ଠପ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି ବୋଲି ବିଜେପି ଦାବି କରିଛି । ତେଣୁ ଦିବ୍ୟ ଶଙ୍କରଙ୍କର ଇସ୍ତଫା ଦାବି କରିଛି ବିଜେପି । ଏଥିସହ ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦାବି କରିଛି । ବନ୍ଦ ପାଳନ କରିବା ସହିତ ବିଜେପିର ଏକ ୫ ଜଣିଆ ଟିମ୍ ଆଜି ବଲାଙ୍ଗୀର ଏବଂ କଳାହାଣ୍ଡି ଗସ୍ତ କରିବ । ଏହି ସମୟରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ ବିଜେପିର ପ୍ରତିନିଧି ଦଳ ।