ଈଶ୍ୱରଙ୍କୁ ଖୋଜିବାକୁ ଘର ଛାଡି ପଳାଇଥିଲେ ,ସଫ୍ଟୱେର ଇଞ୍ଜିନିଅରରୁ ବନିଗଲେ ସନ୍ଥ ଅମୋଘ ଲିଲା ପ୍ରଭୁ

1,102

କନକ ବ୍ୟୁରୋ: ଆମେ କହୁଛୁ ଆଧ୍ୟାତ୍ମିକ ଜଗତର ଯୁବ ସନ୍ନ୍ୟାସୀ ତଥା ମୋଟିଭେସନାଲ ସ୍ପିକର ଅମୋଘ ଲିଲା ପ୍ରଭୁଙ୍କ କଥା । ପୂର୍ବରୁ ସମସ୍ତେ ତାଙ୍କୁ ଯୁବ ଇଞ୍ଜିନିଅର ଆଶିଷ ଅରୋରା ଭାବେ ଜାଣୁଥିବାବେଳେ ଏବେ କିନ୍ତୁ ଅମୋଘ ଲିଲା ପ୍ରଭୁ ବା ଅମୋଘ ଦାସ ଭାବେ ଜାଣୁଛନ୍ତି ।

ସମସ୍ତେ ଚାହାଁନ୍ତି ନିଜ ପିଲା ବଡ ହୋଇ ଭଲ ପାଠ ପଢି ଭଲ ଚାକିରୀଟେ କରୁ । ଭଲ ଅର୍ଥ ରୋଜଗାର କରି ଘର ସଂସାର କରୁ । ଅମୋଘ ଲାଲଙ୍କ ବାପା ମା’ ମଧ୍ୟ କିଛି ବ୍ୟତୀକ୍ରମ ନଥିଲେ । ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ପୁଅକୁ ନେଇ ଏକାଭଳି ସ୍ୱପ୍ନ ଦେଖିଥିଲେ । ଦୁଇ ଝିଅରେ ଗୋଟିଏ ବୋଲି ପୁଅକୁ ନେଇ ଅନେକ ଆଶା ବାନ୍ଧି ଥିଲେ । ହେଲେ ପୁଅ କିନ୍ତୁ ସେମାନଙ୍କ ସବୁ ଆଶାକୁ ପାର କରିଗଲା ।

ଅମୋଘଙ୍କ ବାପା ଜଣେ ସରକାରୀ ଅଧିକାରୀ ଥିଲେ । ତାଙ୍କର ଅଧିକାଂଶ ଚାକିରୀ ଜୀବନ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବିତିଛି । ସେହି କ୍ରମରେ ଅମୋଘ ମଧ୍ୟ ପିଲାଟି ବେଳୁ ବାପାଙ୍କ ସହ ଉତ୍ତର ଭାରତର ଅଧିକାଂଶ ରାଜ୍ୟ ବୁଲି ଅନେକ ଅଭିଜ୍ଞତା ସାଉଁଟିଛନ୍ତି । ଯେତେବେ ତାଙ୍କର ହେତୁ ହେଲା ସେତେବେଳେ ତାଙ୍କ ଠାରେ ଅଦ୍ଭୁତ ଜିଜ୍ଞାସା ଦେଖିବାକୁ ମିଳିଥିଲା । ପାଠ ପଢାରେ ଅମୋଘ ଧୁରୀଣ ଥିଲେ ବି ଅନ୍ୟ ଏକ ଜଗତରେ ସେ ସବୁବେଳେ ଘୁରିବୁଲୁଥିଲେ । ଅନେକ ସମୟରେ ସେ ଅନ୍ୟମନସ୍କ ରହୁଥିଲେ ।

ଯୁକ୍ତ ଦୁଇ ପାସ୍ କରିବା ପରେ ହଠାତ୍ ଦିନେ ଘରୁ ଉଭାନ ହୋଇଗଲେ । ବାପା, ମା’ଙ୍କ ପାଇଁ ଖଣ୍ଡେ ହାତଲେଖା ଚିଠି ଛାଡିଦେଇଗଲେ । ଯାହା ଲେଖିଥିଲେ ସେଥିରେ ବାପା, ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କୁ କେଉଁଠି ବି ଭଲ ଲାଗୁନି । ତେଣୁ ସେ ଈଶ୍ୱରଙ୍କୁ ଖୋଜିବାକୁ ଘର ଛାଡୁଛନ୍ତି । ଶୀଘ୍ର ଫେରିବେ ବୋଲି ଚିଠିରେ ଲେଖିଥିଲେ ଅ ଅନେକ ସ୍ଥାନ ବୁଲି ୪ ମାସ ପରେ ପୁଣି ଫେରିଆସିଥିଲେ ଅମୋଘ ।

ଏହାପରେ ବାପା, ମା’ଙ୍କ ଇଚ୍ଛାକୁ ସମ୍ମାନ ଦେଇ ଦିଲ୍ଲୀ ୟୁନିଭର୍ସିଟିରୁ ବିଟେକ୍ କଲେ, ଏବଂ ଏଥିରେ ସେ ୮୯% ମାର୍କ ରଖିଲେ । ଏହାପରେ କିଛି ବର୍ଷ ଉଚ୍ଚ ଶିକ୍ଷା ଲାଭ କରିବା ପରେ ଆମେରିକାରେ ତାଙ୍କର ନିଯୁକ୍ତି ଅଫର ଆସିଲା । ସେଠାରେ ପାଖାପାଖି ୯ ବର୍ଷ ଚାକିରୀ କରିବା ପରେ ବି ମୋଟା ଅଙ୍କ ଦରମାର ଚାକିରୀ କିମ୍ବା ପାଶ୍ଚାତ୍ୟ ରାଷ୍ଟ୍ରର ଚାକଚକ୍ୟ ତାଙ୍କୁ ବାନ୍ଧି ରଖିପାରିନଥିଲା । ସେସବୁ ତାଙ୍କ ପାଇଁ ଉପରଦେଖାଣିଆ ଥିଲା । ତେଣୁ ଏକ ଆଧ୍ୟାତ୍ମିକ ଉଚ୍ଛ୍ୱାସ ନେଇ ସେ ପୁଣି ଭାରତ ଫେରିଆସିଲେ ଏବଂ ପୁଣିଥରେ ନିଜକୁ ଆଧ୍ୟାତ୍ମିକ ଚେତାନାରେ ଏକାତ୍ମ କରିବାକୁ ଚାହିଁଲେ । ଈଶ୍ୱରଙ୍କ ପ୍ରତି ତାଙ୍କର ବ୍ୟାକୁଳତା ତାଙ୍କୁ ମାର୍ଗ ଦେଖାଇଲା । ଦ୍ୱାରିକାରେ ଅମୋଘଙ୍କୁ ମିଳିଥିଲେ ଆଧ୍ୟାତ୍ମ ଗୁରୁ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ । ଅମୋଘ ଜଣେ ଯୁବ ଇଂଜିନିଅର ଆଶିଷ ଅରୋରାରୁ ବନିଯାଇଥିଲେ ସନ୍ନ୍ୟାସୀ ଅମୋଘ ଲିଲା ପ୍ରଭୁ । ବାସ୍ ସେବେଠାରୁ ଆଉ ପଛକୁ ଚାହିଁନାହାଁନ୍ତି ଅମୋଘ ଲିଲା ।

ଗୋଟିଏ ବୋଲି ପୁଅ ସନ୍ନ୍ୟାସ ନେଇଥିବାରୁ ପ୍ରଥମେ ମନ କଷ୍ଟ କରୁଥିଲେ ବି ପରବର୍ତ୍ତୀ ସମୟରେ ନିଜକୁ ଗର୍ବିତ ମନେ କରିଥିଲେ ତାଙ୍କ ବାପା, ମା’ । ଆଜିକା ଦିନରେ ପୁଅର ଲୋକପ୍ରିୟତା ଦେଖି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି । ଏବେ ଅମୋଘଙ୍କୁ ପାଖାପାଖି ୪୦ ବର୍ଷ । ହେଲେ ସେ ବେଶ୍ ଫୂର୍ତ୍ତି । ନିରାମିଷ ଖାଦ୍ୟ ସହ ଯୋଗ, ଓ ଈଶ୍ୱର ଚିନ୍ତା ହିଁ ତାଙ୍କ ସତେଜତା ଓ ଫୂର୍ତ୍ତିର ମୂଳ ସ୍ରୋତ ବୋଲି କୁହନ୍ତି ଅମୋଘ ଲିଲା ।
ଜଣେ ଯୁବ ସନ୍ନ୍ୟାସୀ ହେବା ସହ ସେ ଜଣେ ଧୁରୀଣ ମୋଟିଭେସନାଲ ସ୍ପିକର । ବର୍ତ୍ତମାନ ସେ ଦ୍ୱାରକାଧୀଶ ସୋସାଇଟି ଅଫ୍ ଇସ୍କନର ଭାଇସ୍ ପ୍ରେସିଡେଣ୍ଟ ଥିବାବେଳେ ସୋସିଆଲ ମିଡିଆରେ ସକ୍ରିୟ । ଏବେ ଟ୍ୱିଟରରେ ତାଙ୍କର ୨୭୬୦ଜଣ ଫଲୋଅର୍ସ ଅଛନ୍ତି । ତାଙ୍କର ସ୍ପିଚରେ ଯୁବଗୋଷ୍ଠୀ ବେଶ୍ ପ୍ରଭାବିତ ।