ସନ୍ତାନ ପାଇଁ ଅଲୋଡା ମାଆ...ସ୍ତ୍ରୀ ସହ ମିଶି ଅସହାୟ ବୁଢୀ ମାଆକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଅଲାଜୁକ ପୁଅ

Advertisment
ସନ୍ତାନ ପାଇଁ ଅଲୋଡା ମାଆ...ସ୍ତ୍ରୀ ସହ ମିଶି ଅସହାୟ ବୁଢୀ ମାଆକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଅଲାଜୁକ ପୁଅ

କନକ ବ୍ୟୁରୋ: ମା’ର ମମତାର ମୂଲ ବୁଝିପାରିଲାନି ପୁଅ। ପତ୍ନୀ ସହ ମିଶି ବୃଦ୍ଧା ମା’କୁ ଗୋଡାଇ ପିଟିଲା। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଅମଲାପଡ଼ାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୁଅ ଓ ବୋହୂର ନିର୍ଯାତନା ସହି ନ ପାରି ମା’ ଥାନାର ଦ୍ବାରସ୍ଥ ହୋଇଛି ।

ଅମଲପଡ଼ାର ଉତ୍ସବ ନାୟକ (୭୫) ଓ କୁନ୍ତଳା (୭୦)ଙ୍କ ୩ ପୁଅ ଓ ଗୋଟିଏ ଝିଅ। ପରିଣତ ବୟସରେ ସେମାନଙ୍କ ସେବା କରିବାକୁ ୩ ପୁଅ ରାଜି ହେଉ ନ ଥିବାରୁ ଉଭୟ ବଲସକୁମ୍ପାରେ ବିବାହିତା ଝିଅ ପାଖରେ ରହୁଛନ୍ତି। ଭରଣପୋଷଣ ପାଇଁ ବାପାମା’ଙ୍କୁ ବଡ଼ ଓ ମଝିଆ ପୁଅ ୧୫ଶହ ଟଙ୍କା ଲେଖାଏଁ ଦେଉଛନ୍ତି। ସାନପୁଅ ମାସକୁ ୧ହଜାର ଟଙ୍କା ଦେଉଛି। କିଛି ବର୍ଷ ହେଲା ଏମିତି ଚାଲି ଆସୁଥିଲା। ହେଲେ ୨ ମାସ ତଳେ ମଝିଆ ପୁଅ ରମେଶ ଟଙ୍କା ଦେଇ ନ ଥିବାରୁ ମା’ କୁନ୍ତଳା ଅମଲପଡ଼ାକୁ ଆସିଥିଲେ। ଆଉ ରମେଶକୁ ଟଙ୍କା ମାଗିଥିଲେ। ଏହି ସମୟରେ ରମେଶ ଓ ତା’ର ପତ୍ନୀ ଉତ୍କ୍ଷିପ୍ତ ହୋଇ ଘର ଆଗରେ ଗୋଡ଼ାଇ ଗୋଡ଼ାଇ କୁନ୍ତଳାଙ୍କୁ ପିଟିଥିଲେ। ଘର ଭିତରକୁ ପୁଣି ଟାଣି ନେଇ ମାଡ଼ ମାରିଥିବା କୁନ୍ତଳା ଅଭିଯୋଗ କରିଛନ୍ତି । ଏ ନେଇ କୁନ୍ତଳା ଫୁଲବାଣୀ ଟାଉନ ଥାନାକୁ ଆସି ପୁଅ ଓ ବୋହୂର ଅକଥନୀୟ ନିର୍ୟାତନା କଥା ବଖାଣିବା ସହ ମାଡ଼ର ଦାଗ ଦେଖାଇଥିଲେ।

ଏହା ଦେଖି ପୁଲିସ ବି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲା। ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କୁନ୍ତଳାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ କୁନ୍ତଳା ଥାନାରେ ଦ୍ବାରସ୍ଥ ହୋଇଥିବା ଖବର ପାଇ ବୋହୂ ରୁନୁ ଫେରାର ହୋଇଯାଇଛି। ପତ୍ନୀ ସହ ତୁରନ୍ତ ଥାନାରେ ହାଜର ହେବାକୁ ପୁଲିସ ରମେଶକୁ ତାଗିଦ୍ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe