କନକ ବ୍ୟୁରୋ : ସିଂଘୁ ବର୍ଡରରେ ଦୀର୍ଘ ଦିନ ହେବ ଚାଷୀ ଆନ୍ଦୋଳନ ଜାରି ରଖିଥିବା ବେଳେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୃଷକ ମାନେ ଆନ୍ଦୋଳନ କରୁଥିବା ସ୍ଥାନରେ ଥିବା ବ୍ୟାରିକେଡରେ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ, ମୃତ ଯୁବକଙ୍କ ହାତ କାଟି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦେଇଛି ।
ଆଜି ସକାଳୁ ମୁଖ୍ୟ ମଞ୍ଚ ପାଖରେ ଯୁବକଙ୍କ ଶବ ଟଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା । ମୃତ ଯୁବକଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ନେଇ ଚିହ୍ନ ରହିଛି । ଏପରିକି ଯୁବକଙ୍କ ହାତକୁ କାଟି ଦିଆଯାଇଛି । ପରେ ଯୁବକଙ୍କୁ ହତ୍ୟା କରି ବ୍ୟାରିକେଡରେ ଟାଙ୍ଗି ଦିଆଯାଇଛି । ନିହଙ୍ଗ ସଂପ୍ରଦାୟର ଲୋକଙ୍କ ଏହି ହତ୍ୟା ଅଭିଯୋଗ ଆଣିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।
ଏହି ଘଟଣା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ନିହଙ୍ଗ ଶିଖଙ୍କ ଠାରୁ ନିଜକୁ ଅଲଗା କରିଥିବା ବେଳେ ଯାଞ୍ଚରେ ପୋଲିସକୁ ପୂରା ସହଯୋଗ କରିବାକୁ କହିଛି । ଏହାଛଡା ଏକ ଜରୁରୀକାଳୀନ ବୈଠକ ଡକାଯାଇଛି, ଯେଉଁଠି ଏହି ହତ୍ୟାକାଣ୍ଡ ବାବଦରେ ଆଲୋଚନା ହେବ । ଅନ୍ୟପଟେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ଏହାଛଡା ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି, ଯାହାକୁ ଆଧାର କରି ତଦନ୍ତକୁ ଆଗକୁ ବଢାଇଛି ପୋଲିସ ।