କନକ ବ୍ୟୁରୋ : ବନ୍ଧୁ ସାଜିଲା ବଇରି। ବନ୍ଧୁ ପରିବାରରେ କେହି ନଥିବାର ସୁଯୋଗ ନେଇ ବୁଲାଇଦେଲା କଳାକନା। ସୁନା ଅଳଙ୍କାର ଧରି ମାରିଲା ଚମ୍ପଟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଫେଜ ୧ ରେ। ଅଭିଯୋଗକାରୀ ଅଭିଜିତ ବେହେରାଙ୍କ ଏତଲା ମୁତାବକ ଗତ ୫ ତାରିଖ ସକାଳ ୬ଟା ସମୟରେ ସେ ନିଜ ଘର ଚାବିକୁ ଘର ବାହାରେ ଏକ ଛତା ଭିତରେ ରଖି ଲିଙ୍ଗରାଜ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୨ ଟା ବେଳେ ଆସି ଦେଖିବା ବେଳକୁ ଖଟ ଉପରେ ଜୁଏଲାରୀର କିଛି ଅଂଶ ପଡିଛି। ପରେ ସେ ଦେଖିବାକୁ ପାଇଥିଲେ ଆଲମିରାରୁ ସମସ୍ତ ଗହଣା ଗାୟବ ହୋଇଯାଇଛି। ଏହାକୁ ନେଇ ସନ୍ଦେହ ହେବା ପରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଧରିଛି ପୋଲିସ। ଅଭିଯୁକ୍ତ ହେଉଛି ଡୁମୁଡୁମା ଫେଜ ୨ର ସନ୍ଦୀପ ଦାସ। ଦୁହେଁ ଦୁହିଁଙ୍କ ସାଙ୍ଗ ବୋଲି ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ। ପ୍ରାୟ ୧୦୬ ଗ୍ରାମର ସୁନା ଅଳଙ୍କାର ତାଙ୍କଠାରୁ ଜବତ କରାଯାଇଛି। ଉଭୟ ବନ୍ଧୁ ହୋଇଥିବା କାରଣରୁ କେଉଁଠି ଚାବି ରୁହେ ତାହା ଜାଣି ଥିଲା ଅଭିଯୁକ୍ତ, ତାର ଫାଇଦା ଉଠାଇ କେହି ନଥିବା ବେଳେ କଳା କନା ବୁଲାଇଥିଲା। ପୋଲିସ ହାତରେ ଧରାପଡ଼ିବା ପରେ ଲୁଚାଇ ରଖିଥିବା ସୁନା ଅଳଙ୍କାରକୁ ପୋଲିସକୁ ଦେଇଛି ଅଭିଯୁକ୍ତ।

Advertisment