କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ଉଠାଇ ନେଲେ । ଅପହରଣ ପଛରେ ସାଙ୍ଗମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି ।
ଦାରୁଠେଙ୍ଗର ଆଶିଷ କୁମାର ବେହେରାଙ୍କୁ ବୁଲିବା ବାହାନାରେ ତାଙ୍କ ସାଙ୍ଗମାନେ ଡାକି କାରରେ ବସାଇ ଥିଲେ । ଏହାପରେ ଅଧାବାଟରେ ବନ୍ଧୁକ ଦେଖାଇ ଅପହରଣ କରିଥିଲେ । ଏହା ଦେଖି ଅନ୍ୟଜଣେ ସାଙ୍ଗ ଚଳନ୍ତା କାରରୁ ଡେଇଁ ବର୍ତି ଯାଇଥିଲେ । ଗୁରୁବାର ରାତିରେ ଦାରୁଠେଙ୍ଗ-ଚନ୍ଦକା ରାସ୍ତାରେ ଏଭଳି ଭାବେ ଯୁବକଙ୍କୁ ଅପହରଣ କରିଥିଲେ । ବର୍ତି ଯାଇଥିବା ସାଙ୍ଗ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଆଶିଷଙ୍କ ଫୋନ୍ ନମ୍ବରକୁ ପୁଲିସ ଟ୍ରାକରେ ପକାଇଥିଲା । ହେଲେ ଫୋନ୍ ସ୍ୱିଚ୍ ଅଫ ଥିବାରୁ ଟ୍ରାକ କରିବା ସମ୍ଭବ ହୋଇନଥିଲା । ପରେ ଆଉ ଜଣେ ଅପହରଣକାରୀଙ୍କ ନମ୍ବର ଟ୍ରାକ କରି ପୁଲିସ ଲୋକେସନ ପାଇବା ପରେ ଚନ୍ଦକା ଥାନାର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲା ଏବଂ ପାତ୍ରପଡ଼ାର ଏକ ଘରୁ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା । ଅପହରଣକାରୀଙ୍କୁ ଚନ୍ଦକା ଥାନା ପୁଲିସ ଅଟକ ରଖି ତନାଘନା କରୁଛି । ଘଟଣା ପଛରେ ପ୍ରେମ ବ୍ୟାପାର ଥିବା ସୁରାକ ମିଳିଛି ।