କନକ ବ୍ୟୁରୋ : ମୋହାଲୀ ସେକ୍ଟର-୧୭ ମାର୍କେଟ ନିକଟରେ ଯୁବଅକାଳୀଦଳର ରାଷ୍ଟ୍ରୀୟ ମହାସଚିବ ବିକ୍ରମଜିତ୍ ସିଂ ଓରଫ୍ ଭିକ୍କିଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଇ-୨୦ କାରରେ ଆସିଥିବା ୪ ଜଣ ଯୁବକ ବିକ୍କୀଙ୍କୁ ପିଛାକରି ତାଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଘଟଣା ସ୍ଥଳରେ ବିକ୍କୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳି ଯାଇଛି ।

Advertisment

ସୂଚନା ମୁତାବକ ଶନିବାରଦିନ ବିକ୍ରମଜିତ୍ ଓରଫ୍ ବିକ୍କୀ ସିଣ୍ଡୁଖେଡା ନିକଟରେ ଯାଉଥିବା ବେଳେ ୪ ଜଣ ଯୁବକ ଏକ ଆଇ-୨୦ କାରରେ ଆସି ତାଙ୍କୁ ଘେରି ଯାଇଥିଲେ । ସେମାନଙ୍କ ଠାରୁ ନିଜକୁ ବଞ୍ଚାଇବାକୁ ବିକ୍କୀ ନିଜ ଘରଆଡକୁ ଦୌଡି ପଳାଇ ଯାଉଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨୦ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ବିକ୍କୀଙ୍କ ଦେହରେ ୯ ଟି ଗୁଳି ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଏହି ଘଟଣାର ସୂଚନା ପାଇବା ପରେ ଏସଏସପି ସତିନ୍ଦର ସିଂ ଫୋରେନସିକ ଟିମ ସହ ଘଟଣା ସ୍ଥଳରେ ପହଂଚି ଯାଂଚ ଆରମ୍ଭ କରିଛନ୍ତି । ପୋଲିସ ଘଟଣା ସ୍ଥଳ ପାଖା ପାଖି ଥିବା ସିସିଟିଭି ଭିଡିଓକୁ ଯାଂଚ କରୁଛି । ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ ।