ମାତ୍ର ଗୋଟିଏ ଓଟିପିରେ ପୋଷ୍ଟପେଡ଼ ହୋଇଯିବ ଆପଣଙ୍କ ପ୍ରିପେଡ଼ ନମ୍ବର : ଭରିବାକୁ ପଡିବନି କୌଣସି ବି ଫର୍ମ କିମ୍ବା ପକେଟରୁ ଖର୍ଚ୍ଚ ହେବନି ଟଙ୍କା

537

କନକ ବ୍ୟୁରୋ : ଭାରତରେ ଟେଲିକମ୍ ଅପରେଟରମାନେ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ମଧ୍ୟରେ ପରିବର୍ତ୍ତନ କରିବାକୁ ଉପଭୋକ୍ତାମାନଙ୍କୁ ଏକ ସହଜ ବିକଳ୍ପ ଦେବାକୁ ଯାଉଛନ୍ତି । ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ପ୍ରିପେଡ୍ ସଂଯୋଗକୁ ପୋଷ୍ଟପେଡ୍ ସଂଯୋଗ ଏବଂ ପୋଷ୍ଟପେଡ୍ ସଂଯୋଗକୁ ସହଜରେ ପ୍ରିପେଡ୍ ସଂଯୋଗରେ ରୂପାନ୍ତର କରିବାରେ ସକ୍ଷମ ହେବେ । ଏଥିପାଇଁ ଉପଭୋକ୍ତାମାନଙ୍କୁ କେବଳ ଗୋଟିଏ ଓଟିପି ଆବଶ୍ୟକ ହେବ । ମିଳିଥିବା ସୂଚନା ମୁତାବକ ଉପଭୋକ୍ତାମାନଙ୍କୁ ବର୍ତ୍ତମାନ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ସଂଯୋଗକୁ ବଦଳାଇବା ପାଇଁ ଆବେଦନ ଫର୍ମ ପୂରଣ କରିବାର ଏକ ଦୀର୍ଘ ପ୍ରକ୍ରିୟା ଅତିକ୍ରମ କରିବାକୁ ପଡିଥାଏ ।

କିନ୍ତୁ ନୂତନ ବ୍ୟବସ୍ଥା ଏହାକୁ ଅଧିକ ସହଜ କରିବ । ବର୍ତ୍ତମାନ ଭଳି କୌଣସି ଫର୍ମ ପୂରଣ କରିବାର ଆବଶ୍ୟକତା ପଡିବ ନାହିଁ । ଥରେ ଓଟିପି ଯାଞ୍ଚ ହୋଇଗଲେ, ଉପଭୋକ୍ତାମାନଙ୍କୁ ଅପରେଟର ୱେବସାଇଟରେ ବିଲିଂ ଠିକଣା ଅପଲୋଡ୍ କରିବାକୁ ପଡିବ । ଅବଶ୍ୟ ଏହା ପୂର୍ବରୁ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆର ଉପଭୋକ୍ତାମାନଙ୍କୁ ପ୍ରିପେଡରୁ ପୋଷ୍ଟପେଡକୁ ବଦଳାଇବା ପାଇଁ ଅନଲାଇନ୍ ଆପଏନମେଣ୍ଟ କରିବାର ବିକଳ୍ପ ଦିଆଯାଉଛି ।

ଥରେ ଅନଲାଇନ୍ ବୁକ୍ ହୋଇଗଲେ, କମ୍ପାନୀର ପ୍ରତିନିଧି ଉପଭୋକ୍ତାଙ୍କ ଘରକୁ ଯାଇ ବାକି ପ୍ରକ୍ରିୟା ସମାପ୍ତ କରନ୍ତି । ତେବେ ଆଗାମୀ ୨ ସପ୍ତାହ ମଧ୍ୟରେ ଏ ନେଇ ଟେଲିକମ ଅପରେଟରମାନେ କୌଣସି ଘୋଷଣା କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମ ପକ୍ଷରୁ ଆକଳନ କରାଯାଇଛି ।