ବିଜେପି ନେତାଙ୍କ ବିତଣ୍ଡା ଯୁକ୍ତି ! ମହାଭାରତ ସମୟରେ ଚାଲିଥିଲା ସାମ୍ବାଦିକତା, କିଏ ଥିଲେ ସେହି ସାମ୍ବାଦିକ

60

ବିଜେପି ନେତାଙ୍କ ବିତଣ୍ଡା ଯୁକ୍ତି । ମହାଭାରତ ଯୁଗରୁ ଆରମ୍ଭ ହୋଇଛି ସାମ୍ବାଦିକତା । ଏପରିକି ନାରଦଙ୍କୁ ନେଇ ଅଜବ ଯୁକ୍ତି ବାଢ଼ିଛନ୍ତି ଉତ୍ତର ପ୍ରଦେଶର ଉପ -ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା । ନିଜ ଯୁକ୍ତିରେ ଦିନେଶ କହିଛନ୍ତି, ପୌରାଣିକ ମହାଭାରତରେ ଥିବା ସଞ୍ଜୟ ଓ ଦେବର୍ଷି ନାରଦଙ୍କୁ ଲାଇଭ ଟେଲିକାଷ୍ଟ ଓ ଗୁଗୁଲ ସହ ଯୋଡ଼ିଛନ୍ତି । ହିନ୍ଦି ସାମ୍ବାଦିକତା ଦିବସ ଅବସରରେ ଆୟୋଜିତ ହେଉଥିବା ଏକ ସମାରୋହରେ ଏଭଳି ଅଜବ ଯୁକ୍ତି ବାଢ଼ିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।

ମହାଭାରତ ଯୁଗରୁ ସାମ୍ବାଦିକତା ଆରମ୍ଭ ହୋଇଥିଲା । ଆଉ ଏହାର ଉଦାହରଣ ଦେବାକୁ ଯାଇ ସଞ୍ଜୟଙ୍କ ଚରିତ୍ର କଥା ମନେପକାଇ ଦେଇଥିଲେ ଦିନେଶ । ତାଙ୍କ କହିବା ଅନୁଯାୟୀ, ମହାଭାରତ ଯୁଦ୍ଧ ସମୟରେ ଯୁଦ୍ଧକ୍ଷେତ୍ରର ଟିକିନିକି ଖବର ନିଜ ସଞ୍ଜୟ ଦିବ୍ୟଦୃଷ୍ଟି ସାହାଯ୍ୟରେ ହସ୍ତିନାପୁରରୁ ରହି ଧୃତରାଷ୍ଟ୍ରଙ୍କୁ ଜଣାଉଥିଲେ । ଯାହାକୁ ଆଜିର ଲାଇଭ ଟେଲିକାଷ୍ଟ ବା ସିଧାପ୍ରସାରଣ ସହ ତୁଳନା କରିଛନ୍ତି ଦିନେଶ ।

ସେହିଭଳି ନାରଦ ମୁନିଙ୍କୁ ଏକ ନୂଆ ଉପାଧି ଦେଇଛନ୍ତି ଦିନେଶ ଶର୍ମା । ତାଙ୍କ ମତରେ ନାରଦ ହେଉଛନ୍ତି ଗୁଗୁଲ । ଦିନେଶଙ୍କ କହିବା ଅନୁଯାୟୀ, ଆପଣଙ୍କର ଗୁଗୁଲ ଏବେ ଆରମ୍ଭ ହେଲା, କିନ୍ତୁ ଆମ ଗୁଗୁଲ ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଛି । ଆଉ ସେହି ଗୁଗୁଲ ଚରିତ୍ର ଜଣକ ହେଉଛନ୍ତି ନାରଦ । ତିନି ଥର ନାରାୟଣ ନାମ ଉଚ୍ଚାରଣ କରିବା ସହ ବିଶ୍ୱର ସମସ୍ତ ସ୍ଥାନରେ ବାର୍ତା ପହଞ୍ଚାଇ ପାରୁଥିଲେ ନାରଦ । ଏହାପୂର୍ବରୁ ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଦେବର୍ଷି ନାରଦଙ୍କୁ ଗୁଗୁଲ ସହ ତୁଳନା କରିଥିଲେ । ଏହାଛଡ଼ା ମୋତିଆ ବିନ୍ଦୁ ଅପରେସନ, ପ୍ଲାଷ୍ଟିକ ସର୍ଜରୀ, ପରମାଣୁ ପରୀକ୍ଷଣ, ଓ ଇଣ୍ଟରନେଟ ଭଳି ସୁବିଧା ପୁରାତନ କାଳରୁ ଆରମ୍ଭ ହୋଇଥିବା ଦିନେଶ କହିଛନ୍ତି ।

ମହାଭାରତ ଯୁଗକୁ ନେଇ ବିଜେପି ନେତାଙ୍କ ଏହା ନୂଆ ବୟାନ ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ ଥର ମହାଭାରତ ଯୁଗର କଥା କହି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପିର ବଡ଼ ବଡ଼ ନେତା । ଆଜିର ହାଇଟେକ ଦିନକୁ ମହାଭାରତର ଯୁଗ ସହ ତୁଳନା କରିବାକୁ ଅଦୌ ପଛାଉନାହାନ୍ତି ବିଜେପି ନେତା । ମହାଭାରତ ଯୁଗର କାହାଣୀକୁ ନେଇ ବିଜେପି ନେତା ଦେଉଥିବା ବୟାନ ଅନେକ ସମୟରେ ବିବାଦ ମଧ୍ୟ ଛିଡ଼ା କରିଛି । କିଛି ଦିନ ପୂର୍ବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ବୟାନକୁ ନେଇ ଜୋର ଧରିଥିଲା ରାଜନୀତିକ ଚର୍ଚ୍ଚା । ବିପ୍ଲବଙ୍କ କହିବା ଅନୁଯାୟୀ, ଆମେ ବ୍ୟବହାର କରୁଥିବା ଇଣ୍ଟରନେଟ ଓ ସାଟେଲାଇଟ ବାର୍ତା ମହାଭାରତ ଯୁଗରୁ ଆରମ୍ଭ ହୋଇଥିଲା । ସେ ମଧ୍ୟ ସଞ୍ଜୟଙ୍କର ଚରିତ୍ରକୁ ଆଗକୁ ଆଣି ନିଜର ଯୁକ୍ତି ଉପସ୍ଥାପନା କରିଥିଲେ ।