ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର

ଏନସିଆର ଓ ଆଖପାଖ ରାଜ୍ୟରେ ମଧ୍ୟ ଲକଡାଉନ୍ ଲଗାଇଲେ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତି ମିଳିବ ବୋଲି ପ୍ରସ୍ତାବ

99

କନକ ବ୍ୟୁରୋ : କିପରି ନିୟନ୍ତ୍ରଣକୁ ଆସିବ ଦିଲ୍ଲୀର ବାୟୁ ପ୍ରଦୂଷଣ । ତୁରନ୍ତ ଏନେଇ ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି କେନ୍ଦ୍ର ସରକାର ଏକ ଜରୁରୀ ବୈଠକ କରିବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନାବଶ୍ୟକ ଗାଡି ଚଳାଚଳ, କାରଖାନାରୁ ହେଉଥିବା ଧୂଆଁକୁ କିପରି ରୋକାଯାଇପାରିବ ସେନେଇ ପଦକ୍ଷେପ ନେବାକୁ କୁହାଯାଇଛି ।

କେଉଁ କାରଖାନା ବନ୍ଦ ହୋଇପାରିବ, କେଉଁ ଗାଡି ଚଳାଚଳ କରିପାରିବ, ସେନେଇ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ୱାର୍କ ଫ୍ରମ୍ ହୋମ୍ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଉତରପ୍ରଦେଶ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଯୋଗ ଦେବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ବେଳେ କୋର୍ଟ ପ୍ରଦୂଷଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଛନ୍ତି । ଆସନ୍ତା ବୁଧବାର ଦିନ ମାମଲାର ପରବର୍ତୀ ଶୁଣାଣି ହେବ ।

ବାୟୁ ପ୍ରଦୂଷଣ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସତ୍ୟାପାଠ ଦାଖଲ କରାଯାଇଛି । ବାୟୁ ପ୍ରଦୂଷଣ ରୋକିବାକୁ ସଂପୂର୍ଣ୍ଣ ଲକଡାଉନ୍ କରିବାକୁ ଦିଲ୍ଲୀ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେଜରିୱାଲ । ଏନସିଆର ଅଂଚଳ ଓ ପଡୋଶୀ ରାଜ୍ୟରେ ମଧ୍ୟ ଲକଡାଉନ୍ ଲଗାଇଲେ ଏହାର ସୁଫଳ ମିଳିପାରିବ ବୋଲି କହିଛନ୍ତି ସରକାର । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ନଡ଼ା ପୋଡି ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ନୁହଁ ।

ନଡ଼ା ପୋଡି ଯୋଗୁ ମାତ୍ର ୧୦ ପ୍ରତିଶତ ବାୟୁ ପ୍ରଦୂଷିତ ହୋଇଥାଏ । ଏହା ସହ ପ୍ରଦୂଷଣ ରୋକିବାକୁ ତିନିଟି ଫର୍ମୁଲା ଦେଇଛି କେନ୍ଦ୍ର । ଗାଡି ଚଳାଇବାରେ ଅଡ୍-ଇଭେନ୍ ଫର୍ମୁଲା, ଦିଲ୍ଲୀକୁ ଟ୍ରକ୍ ପ୍ରବେଶ ଉପରେ କଟକଣା ଓ ଅତି ଖରାପ ସ୍ଥିତିରେ ଲକଡାଉନ୍ ପାଇଁ ପ୍ରସ୍ତାବ ଦେଇଛି କେନ୍ଦ୍ର । ଧୂଳି, ଅଧିକ ଗାଡି ଚଳାଚଳ ଓ କାରଖାନାରୁ ନିର୍ଗତ ଧୂଆଁ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଉଥିବା କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟଙ୍କୁ କୁହାଯାଇଛି । ରାଜ୍ୟ ସରକାର ସଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିଥିଲେ, ପ୍ରଦୂଷଣକୁ ରୋକାଯାଇ ପାରିଥାନ୍ତା ବୋଲି କହିଛି କେନ୍ଦ୍ର ।