ହାଇଦର ଗ୍ୟାଙ୍ଗରେ କମ୍ ବୟସର ଯୁବତୀ । ବାଲେଶ୍ୱର ଭୋଗରାଇରୁ ଧରାପଡ଼ିଲା ଅର୍ଚ୍ଚନା ପରିଡା ଓରଫ ଗେଲି ।

1,476

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆଉ ତିନି ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ଜଣେ ଯୁବତୀ ଓ ୨ ଜଣ ଯୁବକକୁ ଗିରଫ କରାଯାଇଛି । ତେବେ ହାଇଦର ଗ୍ୟାଙ୍ଗରେ କମ ବୟସର ଯୁବତୀ ଥିବା ଜଣାପଡିଛି ।ବାଲେଶ୍ୱରରୁ ଗିରଫ ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଅର୍ଚ୍ଚନା ପରିଡା । ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହେଉଛି, ସେମାନେ ହାଇଦରକୁ ଫେରାର୍ କରିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ଏହି ମାମଲାରେ ୩ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଗିରଫ କରିସାରିଲାଣି ପୁଲିସ ।

ସେପଟେ ଗ୍ୟାଙ୍ଗଷ୍ଟରର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପୁଲିସର ଚିନ୍ତା ବଢ଼ିଯାଇଛି । ହାଇଦରକୁ ଧରିଥିବା ପୁଲିସ ଅଧିକାରୀଙ୍କ ସମେତ ତା ସଂସ୍ପର୍ଶରେ ଆସିଥିବା କମିସନରେଟ ପୁଲିସର ଅନ୍ୟ କର୍ମଚାରୀଙ୍କୁ ଏବେ ସଂକ୍ରମଣର ଭୟ ଘାରିଛି । ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ହାଇଦର କରୋନା ଆକ୍ରାନ୍ତ ହୋଇଥିବାରୁ ୭ ଦିନିଆ ରିମାଣ୍ଡରେ ନେଇଥିଲେ ବି ପଚରାଉଚରା କରି ପାରୁନାହିଁ କମିସନରେଟ୍ ପୁଲିସ । ପଜିଟିଭ ଜଣାପଡିବା ପରେ ହାଇଦରକୁ ଏବେ ଚୌଦ୍ୱାର ଜେଲର ଆଇସୋଲେସନ ସେଲରେ ରଖାଯାଇଛି ।