ଭିନ୍ନ ଧର୍ମରେ ବିବାହକୁ ନେଇ ଆକ୍ଷେପ କରୁଥିଲେ ବଡ ଭାଇ, ଠେଙ୍ଗାରେ ପିଟି ପିଟି ମାରିଦେଲେ ଦୁଇ ସାନ ଭାଇ । ସୁନ୍ଦରଗଡରୁ ସାମ୍ନାକୁ ଆସିଲା ଅଭାବନୀୟ ଘଟଣା ।

733

କନକ ବ୍ୟୁରୋ : ଭିନ୍ନ ଧର୍ମରେ ବିବାହକୁ ନେଇ ଆକ୍ଷେପ କରିବାରୁ ବଡ ଭାଇକୁ ଠେଙ୍ଗାରେ ପିଟି ପିଟି ମାରି ଦେଲେ ଦୁଇ ସାନ ଭାଇ । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ବନ୍ଦଲ ଗାଁର ମୁଣ୍ଡା ସାହିରେ ଘଟିଛି ଏହି ଅଘଟଣ । ମୃତକ ପାତ୍ରାସ ମୁଣ୍ଡାଙ୍କ ସାନ ଭାଇ ସମା ମୁଣ୍ଡା ଏକ ଖ୍ରୀଷ୍ଟିୟାନ ସଂପ୍ରଦାୟର ଯୁବତୀଙ୍କୁ ବିବାହ କରିଥିଲେ । ଏନେଇ ବଡ ଭାଇ ପାତ୍ରାସ ସବୁ ବେଳେ ସାନ ଭାଇକୁ ଭିନ୍ନ ଧର୍ମର ଝିଅକୁ କାହିଁକି ବିବାହ କଲୁ ବୋଲି କହୁଥିଲେ । ଗତକାଲି ମଧ୍ୟ ସାନ ବୋହୁ ଘରେ ଥିଲା ବେଳେ ଭିନ୍ନ ଧର୍ମର ଝିଅକୁ କାହିଁକି ଆଣି ଘରେ ପୁରାଇଛି ବୋଲି ଗାଳି କରିଥିଲେ । ଏହାଶୁଣିବା ପରେ ସାନ ଭାଇ ସମା ମୁଣ୍ଡା ଓ ବିଲକାନ ମୁଣ୍ଡା ଘରେ ଥିବା ପାତ୍ରାସକୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ ।
ଏହି ସମୟରେ ସାନ ଭଉଣୀ ବିର୍ସି ମୁଣ୍ଡା ବଡ ଭାଇକୁ ବଂଚାଇବାକୁ ଉଦ୍ୟମ କରିବାରୁ ତାକୁ ମଧ୍ୟ ଦୁଇ ସାନ ଭାଇ ଆକ୍ରମଣ କରିଥିଲେ । କୌଣସିମତେ ସେଠାରୁ ଖସିଯିବାରୁ ସାନ ଭଉଣୀ ବଞ୍ଚିଯାଇଛି । ଖବର ପାଇ କୋଇଡା ଥାନା ଅଧିକାରୀ ଗାଁରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛନ୍ତି ।