ରାମଦେବଙ୍କ ସାନଭାଇଙ୍କୁ ମିଳିଲା ବଡ ଦାୟିତ୍ୱ । ଦରମା ବାବଦକୁ ମିଳିବ ମାତ୍ର ୧ ଟଙ୍କା, ୪୩୫୦ କୋଟି ଟଙ୍କାର କମ୍ପାନିର ଦାୟିତ୍ୱ ସମ୍ଭାଳିବେ ରାମ ଭରତ ।

1,876

କନକ ବ୍ୟୁରୋ : ରାମଦେବଙ୍କ ସାନ ଭାଇକୁ ପତଞ୍ଜଳି ଗ୍ରୁପରେ ବଡ ଦାୟିତ୍ୱ । ରାମଦେବଙ୍କ ସାନ ଭାଇ ରାମ ଭରତ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ରୁଚି ସୋୟା ବୋର୍ଡରେ ସ୍ଥାନ ମିଳିଛି । ରାମ ଭରତଙ୍କୁ କମ୍ପାନିର ଏମଡି କରାଯାଇଥିବା ବେଳେ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ କମ୍ପାନିର ଚେୟାରମ୍ୟାନ ପଦରେ ବସାଯାଇଛି । ତେବେ କମ୍ପାନିର ସେୟାରଧାରକଙ୍କ ଠାରୁ ଏନେଇ ମଞ୍ଜୁରୀ ଅଣାଯିବା ବାକି ରହିଛି । ଗତବର୍ଷ ରୁଚି ସୋୟା କମ୍ପାନିକୁ ୪୩୫୦ କୋଟି ଟଙ୍କାରେ କିଣିଥିଲା ପତଞ୍ଜଳି ଗ୍ରୁପ ।

ରୁଚି ସୋୟା କମ୍ପାନି ନିଜର ସେୟାରଧାରକଙ୍କୁ ଏନେଇ ନୋଟିସ ଜାରି କରିବା ସହ ରାମ ଭରତଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରି ମାଗିଛି । ୨୦୨୨ ଡିସେମ୍ବର ୧୭ ଯାଏଁ ଏହି ପଦବୀରେ ରହିବେ ରାମ ଭରତ । ଏବେ ଭରତ ପତଞ୍ଜଳି ଆୟୁର୍ବେଦର ଦୈନିକ କାମ ବୁଝୁଛନ୍ତି । ଦୀର୍ଘ ଦିନ ଧରି କମ୍ପାନି ସହ ଜଡିତ ଥିବା ରାମ ଭରତ କମ୍ପାନିକୁ ଆଗକୁ ନେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି ।   ସବୁଠୁ ବଡ କଥା ହେଲା, ରାମଦେବଙ୍କୁ କମ୍ପାନିର ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

କମ୍ପାନିର ନିର୍ଦ୍ଦେଶକ ମଣ୍ଡଳୀ ନେଇଥିବା ନିଷ୍ପତ୍ତି ଅନୁଯାୟୀ, ରାମ ଭରତଙ୍କୁ ଦରମା ବାବଦକୁ ବର୍ଷକୁ ମାତ୍ର ଟଙ୍କାଟିଏ ଦିଆଯିବ । ସେହିଭଳି ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ ବାର୍ଷିକ ଟଙ୍କାଟିଏ ଦରମା ନେବେ ଓ କମ୍ପାନିକୁ ସେବା ଯୋଗାଇଦେବେ । ୨୦୧୭ରୁ ରୁଚି ସୋୟା କମ୍ପାନି ଦେବାଳିଆ ଆଡକୁ ଗତି କରିଥିବା ବେଳେ ଗତବର୍ଷ ଏହି କମ୍ପାନିକୁ କିଣିଥିଲା ପତଞ୍ଜଳି ।

ରାମଦେବଙ୍କ ସାନଭାଇ ରାମ ଭରତ ଅଧିକାଂଶ ସମୟ ଲାଇମଲାଇଟକୁ ଆସୁନଥିବା ବେଳେ ୨୦୧୫ରେ କିନ୍ତୁ ଚର୍ଚ୍ଚାକୁ ଆସିଥିଲେ । ଟ୍ରକ ୟୁନିୟନ ଓ ପତଞ୍ଜଳି ଆୟୁର୍ବେଦ ପରିସରର ସୁରକ୍ଷାକର୍ମୀଙ୍କ ମଧ୍ୟରେ ଝଗଡା ହେବା ପରେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।  ଏହି ଘଟଣାରେ ରାମ ଭରତଙ୍କ ନାମ ସାମ୍ନାକୁ ଆସିବା ପରେ ତାଙ୍କୁ ବିଚାର ବିଭାଗୀୟ ହେପାଜତକୁ ନିଆଯାଇଥିଲା । ସେତେବେଳେ ଭରତଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ।