ସୁନ୍ଦରଗଡ଼ ବଣାଇରେ ଜଘନ୍ୟକାଣ୍ଡ । ବଡ଼ ଭାଇର ପରିବାରର ୪ ଜଣଙ୍କୁ ହତ୍ୟା କଲା ସାନ ଭାଇ । ଭାଇ-ଭାଉଜ ଏବଂ ପୁତୁରା-ଝିଆରୀକୁ ନିର୍ମମ ଭାବେ ହତ୍ୟା ।

662

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ପାରିବାରିକ କଳହରୁ ଗୋଟିଏ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣାଯାଇଛି ।

କୌଣସି କଥାକୁ ନେଇ ସାନଭାଇ ସହ ବଡ଼ଭାଇର କନ୍ଦଳ ଥିଲା । ଆଜି ସକାଳେ ସାନଭାଇ ବଡ଼ଭାଇ ସମେତ ୪ ଜଣଙ୍କୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାଯାଇଛି । ସାନଭାଇ, ବଡ଼ଭାଇ, ଭାଉଜ ଓ ସେମାନଙ୍କର ୨ ଶିଶୁଙ୍କୁ ହତ୍ୟା କରିଥିବା ଜଣାଯାଇଛି ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏହା ସହ ସେଗୁଡ଼ିକୁ ଶବ ବ୍ୟବଚ୍ଛେଦ ଲାଗି ପଠାଇଥିବା ଜଣାଯାଇଛି । ଏହାଛଡ଼ା ଅଭିଯୁକ୍ତ ସାନଭାଇକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି । ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ଆଶା କରାଯାଉଛି ।