ବାଉଁଶରେ ଗହଣା ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ଯୁବତୀ: ଲିମ୍ବ, ବେଲ, ତୁଳସୀ, ରୁଦ୍ରାକ୍ଷ ମାଳି ଓ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ସୂତା ବ୍ୟବହାର କରି କରୁଛନ୍ତି ଗହଣା
କନକ ବ୍ୟୁରୋ: ବାଉଁଶରେ ତିଆରି ହେଉଛି ଅଳଙ୍କାର । ବିଭିନ୍ନ ପ୍ରକାରର ଇୟର ରିଙ୍ଗସ୍, ନେକଲେସ୍, ରାକ୍ଷୀ, ବ୍ରେସଲେଟ୍, ବ୍ୟାଙ୍ଗେଲ, ହେୟାର କ୍ଳିପ୍ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ରାୟଗଡ଼ା ସଦର ବ୍ଳକ ଅନ୍ତର୍ଗତ କର୍ଲାକଣା ଗାଁର ଆଦିବାସୀ ଯୁବତୀ । ଦେଖନ୍ତୁ ଏହି ଦୃଶ୍ୟକୁ କିଏ ଲମ୍ବା ବାଉଁଶକୁ ଚିରି ଛୋଟ ଛୋଟ ଖଣ୍ଡ କରି କାଟୁଛନ୍ତି ତ କିଏ ବାଉଁଶ ଖଣ୍ଡକୁ ମେସିନ୍ ସାହାଯ୍ୟରେ ପଲିସ୍ କରୁଛନ୍ତି । ବାଉଁଶ ସହିତ ଲିମ୍ବ, ବେଲ, ତୁଳସୀ, ରୁଦ୍ରାକ୍ଷ ସହିତ କାଚମାଳି ଓ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗର ସୂତା ବ୍ୟବହାର କରି ଏହି ସବୁ ଅଳଙ୍କାର ପ୍ରସ୍ତୁତ ହେଉଛି । ଏହି ଅଳଙ୍କାରକୁ ବଜାରରେ ବିକ୍ରି କରି ମାସିକ ୭ ରୁ ୧୦ ହଜାର ଟଙ୍କା ରୋଜଗାର କରୁଛନ୍ତି ମହିଳା ।

Kanak News is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରର ଇକୋପ୍ରେଣ୍ଡଲି ଅଳଙ୍କାର କାରିଗର ପ୍ରିୟଦର୍ଶିନୀ ଦାଶ ରାୟଗଡ଼ା ଭଳି ଅଦିବାସୀ ଅଧ୍ୟୁଷିତ ଅଂଚଳର ଯୁବତୀ ମାନଙ୍କୁ ବିଭିନ୍ନ ପ୍ରକାରର ଅଳଙ୍କାର ତିଆରି ତାଲିମ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫାର୍ମ ଟୁ ଫ୍ୟାସନ କନସେପ୍ଟରେ ସ୍ପର୍ଶ ଫାଉଣ୍ଡେସନ ତରଫରୁ ମହିଳାଙ୍କୁ ଶସକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହି ତାଲିମ ଦିଆଯାଉଛି । ଗତ ଦୁଇ ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ବଡଚାନ୍ଦିଲି ଗାଁର ୨୫ ଜଣ ଯୁବତୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ବର୍ତମାନ ଆଉ ୨୫ ଜଣଙ୍କୁ ଏହି ତାଲିମ ପ୍ରଦାନ କରାଯାଉଛି । ପାହାଡ଼ିଆ ଅଂଚଳରୁ ଖୁବ୍ କମ୍ ଦାମରେ ବାଉଁଶ ମିଳୁଥିବାବେଳେ ଅଳଙ୍କାର ପ୍ରସ୍ତୁତ କରିବାରେ କମ୍ ଖର୍ଚ୍ଚ ହେଉଛି । ସ୍ଥାନୀୟ ବଜାର ସହ ରାଜ୍ୟ ତଥା ରାଜ୍ୟ ବାହାରେ ଏହାକୁ ଚାହିଦା ବଢ଼ୁଛି ।
aସୁନା, ରୂପା, ହୀରା ଅଳଙ୍କାର ଭଳି ଦିନକୁ ଦିନ ଇକୋଫ୍ରେଣ୍ଡଲି ଅଳଙ୍କାର ପ୍ରତି ଲୋକଙ୍କ ରୁଚି ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଂଚଳର ମହିଳା ମାନେ ଏହି କାମକୁ ଆପଣାଇଛନ୍ତି । ଯାହାଦ୍ୱାରା ସେମାନେ କିଛି ରୋଜଗାର କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ।