ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ । ୫ ବର୍ଷର ଅପେକ୍ଷା ପରେ ମିଳିଲା ଭାରତକୁ ଭିସା । ସମୀରଙ୍କୁ ବିବାହ କରିବେ ଜାଭେରିଆ ।

778

କନକ ବ୍ୟୁରୋ: ସୀମା ସେ ପାରିର ପ୍ରେମ, ପାକିସ୍ତାନ ପ୍ରେମିକା । ନିଜ ଦୀର୍ଘ ଦିନର ପ୍ରେମିକକୁ ବିବାହ କରିବା ପାଇଁ ଶେଷରେ ଭାରତରେ ପହଁଚିଛନ୍ତି ପାକିସ୍ତାନ ଯୁବତୀ । କେତେବେଳେ ଭିସା ପାଇଁ ତ’ ଆଉ କେତେବେଳେ ପରସ୍ପରକୁ ଦେଖା କରିବା ପାଇଁ, ପୂର୍ବରୁ ଅନେକ ଥର ଅପେକ୍ଷା କରିବାକୁ ପଡିଛି ତାଙ୍କୁ । ହେଲେ ଏବେ ନିଜ ପ୍ରେମିକଙ୍କୁ ବାହା ହେବା ପାଇଁ ଭାରତ ଆସି ପହଞ୍ଚିଛନ୍ତି ଜଣେ ପାକିସ୍ତାନୀ ଯୁବତୀ । ଏହି ଯୁବତୀଙ୍କ ନାଁ ଜାଭେରିଆ ଖାନୁମ୍ । ଘର ପାକସ୍ତାନର କରାଚି ସହରରେ ।

୨୧ ବର୍ଷିୟ ଏହି ଯୁବତୀ ୪୫ ଦିନିଆ ଭିସା ନେଇ ଭାରତ ଆସିଛନ୍ତି । ବିମାନବନ୍ଦରରେ ଆଜି ଯେତେବେଳେ ଜାଭେରିଆ ପହଂଚିଥିଲେ, ତାଙ୍କୁ ପାଛୋଟି ନେବା ପାଇଁ ତାଙ୍କ ପ୍ରେମିକ ବା ଭାବି ସ୍ୱାମୀ ସମୀର ଖାନ୍ । ସାଥୀରେ ତାଙ୍କ ଭାବି ଶ୍ୱଶୁର ଅହମ୍ମଦ କମାଲ ଖାନ ମଧ୍ୟ ଥିଲେ । ଦୀର୍ଘ ସମୟ ଧରି ଜାଭେରିଆ, ଭାରତ ଆସିବା ପାଇଁ ଉଦ୍ୟମ କରୁଥିଲେ । ହେଲେ ଭିସା ମିଳୁନଥିଲା । ପ୍ରଥମେ କରୋନା କଟକଣା ଏବଂ ପରବର୍ତୀ ସମୟରେ ଦୁଇ ଦୁଇ ଥର ଭିସା ରଦ୍ଧ ହୋଇଥିଲା । କିନ୍ତୁ ଏବେ ଯେତେବେଳେ ତାଙ୍କୁ ୪୫ ଦିନର ଅନୁମତି ମିଳିଛି । ଏହି ସମୟ ଭତରେ ସମୀର ଖାନଙ୍କୁ ବିବାହ କରି ପାକିସ୍ତାନ ଯିବାକୁ ନିଷ୍ପତ୍ତିନେଇଛନ୍ତି । ଆସନ୍ତା ମାସରେ ଜାଭେରିଆ ଏବଂ ସମୀର ବିବାହ କରିବେ ।

ସମୀର ନିଜର ପ୍ରତିକ୍ରିୟା ରଖି କହିଛନ୍ତି- ଖୁସିରେ ଆରମ୍ଭ ହୋଇଥିବା ସମ୍ପର୍କ ଖୁସିରେ ଶେଷ ହେବାକୁ ଯାଉଛି । ଆମେ ଦୁଇ ଜଣ ବାହା ହେବାକୁ ଯାଉଛୁ । ମକବୁଲ୍ ନାମକ ଜଣେ ସାମ୍ବାଦିକ ଏହି ପ୍ରେମୀ ଯୁଗଳଙ୍କୁ ମିଳାଇବାରେ ସହଯୋଗ କରିଥିଲେ । ଜାଭେରିଆଙ୍କୁ କେମିତି ଭିସା ମିଳିବ ସେଥିପାଇଁ ସେ ଉଦ୍ୟମ କରିଥଲେ । ସୂଚନା ଅନୁସାରେ, ଜାଭେରିଆ ଏବଂ ସମୀର ୨୦୧୮ରୁ ପରସ୍ପରକୁ ଜାଣିଛନ୍ତି । ଜାଭେରିଆ ଜର୍ମାନୀରେ ରହୁଥିଲେ । ଥରେ ପାକିସ୍ତାନ ଆସିଥିବା ସମୟରେ ସମୀରଙ୍କ ଫଟୋ ଦେଖିଥିଲେ । ତାଙ୍କୁ ବିବାହ କରିବା ପାଇଁ ଜାଭେରିଆ ମା’ଙ୍କୁ ଜଣାଇଥିଲେ । ମା’ ରାଜି ହୋଇଥିବା ପରେ ସମୀରଙ୍କ ସହ ଯୋଡ଼ି ହୋଇଥିଲେ ଜାଭେରିଆ । ଜର୍ମାନୀ, ସ୍ପେନ୍, ଆଫ୍ରିକାରେ ରହୁଥିବା ଜାଭେରିଆଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ବାହାଘରକୁ ଆସିବେ ଜଣାପଡ଼ିଛି ।