ମନ ଜିଣୁଛି ମିଲେଟ ପିଜା । ଯୁବବର୍ଗଙ୍କର ପାଲଟିଛି ପ୍ରଥମ ପସନ୍ଦ, ଏଣିକି ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମିଲେଟ୍ ।

114

କନକ ବ୍ୟୁରୋ : ପିଜା ଖାଆନ୍ତୁ ସୁସ୍ଥ ରୁହନ୍ତୁ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଜଙ୍କଫୁଡ ନଖାଇବା ପାଇଁ ଡାକ୍ତର ପରାମର୍ଶ ଦେଉଥିବା ବେଳେ ଏବେ ବଢ଼ୁଛି ପିଜାର ଚାହିଦା । କିନ୍ତୁ ଆମେ କହୁଛୁ ଏକ ନିଆରା ପିଜାର କଥା । ମଇଦାରେ ନୁହେଁ ମିଲେଟ୍ରେ ପ୍ରସ୍ତୁତ ହୋଇଛି ଏହି ପିଜା । ଆନ୍ତଜାର୍ତୀୟ ମିଲେଟ ସମ୍ମିଳନୀରେ ଏହି ମଲେଟ୍ ପିଜାର ବେଶ ଚାହିଦା ଦେଖିବାକୁ ମିଳୁଛି । ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି ମିଲେଟ ପ୍ରସ୍ତୁତ ପିଜା । ମାତ୍ର ୮୦ ଟଙ୍କାରେ ମିଳୁଛି ଚିକେନ, ଛତୁ ଓ ପନୀର ପିଜା ।

ସେହିଭଳି ଏଣିକି ହସ୍ପିଟାଲ କ୍ୟାଣ୍ଟିନ ଓ ୱାଓ ମୋମୋରେ ମିଳିବ ମିଲେଟ । ଏନେଇ ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ । ବର୍ତମାନ ମିଲେଟର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ୮ଶହ ୪୫ ରହିଥିବା ବେଳେ ଗତ ବର୍ଷ ୬ଲକ୍ଷ ମେଟ୍ରିକ ଟନ୍ ମିଲେଟ ସଂଗ୍ର୍ରହ କରାଯାଇଛି । ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ମିଲେଟ୍ ଚାଷ ହେଉଛି । ଅଢ଼େଇ ଲକ୍ଷ ହେକ୍ଟରରେ ଚାଷ କରାଯାଉଛି । ମିଲେଟକୁ ସାରା ବିଶ୍ୱରେ ପହଂଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ଦୁଇ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ସମ୍ମିଳନୀରେ ପୁଷ୍ଟି ଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ ।ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯିବ । ଏହା ସହ ମିଶନ ଶକ୍ତି ଅଧିନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ । ସେହିପରି ଜଳବାୟୁ ପରିବର୍ତନ ଏବଂ ମିଲେଟସ୍ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମ ହେବ । ସେଫ୍ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗଦେଇଛନ୍ତି ।