ଅନ୍ଧ ବିଶ୍ୱାସର କରୁଣ ପରିଣତି : ଯକ୍ଷ୍ମା ରୋଗରୁ ଭଲ ହେବା ପାଇଁ ଯୁବକଙ୍କୁ ୫୦୦ ଚେଙ୍କ… ଶେଷରେ ଚାଲିଗଲା ଜୀବନ

232

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର କରୁଣ ପରିଣତି । ଚେଙ୍କ ପାଇଁ ଚାଲିଗଲା ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାଂଶପାଳ ଅଂଚଳରେ । ଚେଙ୍କ ଚିକିତ୍ସା ପାଇଁ ଏହି ଗ୍ରାମର ବିକାଶ ଦେହୁରୀ ମାତ୍ର ୩୪ ବର୍ଷରେ ପ୍ରାଣ ହରାଇଛନ୍ତି । ଯକ୍ଷ୍ମାରୋଗରେ ଆକ୍ରାନ୍ତ ବିକାଶଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ନପାରି ଚେଙ୍କ ଚିକିତ୍ସା କରାଯାଉଥିଲା । ଗତ କିଛିଦିନ ହେଲା ତାଙ୍କ ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ଦେହରେ ପ୍ରାୟ ୫୦୦ରୁ ଅଧିକ ଚେଙ୍କ ଦିଆଯାଇଥିଲା। ଚେଙ୍କ ଖାଇଖାଇ ଦୁର୍ବଳ ହୋଇପଡ଼ିଥିବା ବିକାଶଙ୍କର ମୃତ୍ୟୁ ଘଟିଛି । ତାଙ୍କ ସ୍ତ୍ରୀ ଦ୍ରୌପଦୀ ଦେହୁରୀ ଏବଂ ଦୁଇ ଛୋଟଛୋଟ ପୁଅ ଏବେ ବେସାହାରା ହୋଇଯାଇଛନ୍ତି ।

ସୁଚନା ଅନୁସାରେ, ବିକାଶ ଦେହୁରୀ ଦୀର୍ଘଦିନ ହେଲା ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ । ଏଥିପାଇଁ ତାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ଔଷଧ ଧରାଇ ଆଗକୁ ଭଲ ଚିକିତ୍ସା କରାଯିବ ବୋଲି କହି ଘରକୁ ପଠାଇ ଦେଇଥିଲେ। ସେହିଦିନରୁ ବିକାଶ ବିଛଣାରେ ପଡ଼ି ରହିଥିଲେ । ତାଙ୍କ ସ୍ତ୍ରୀ କାମଧନ୍ଦା କରି ସ୍ବାମୀ ଏବଂ ଦୁଇ ଛୁଆଙ୍କୁ ପୋଷୁଥିଲେ । ଅର୍ଥାଭାବରୁ ସ୍ବାମୀଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇପାରୁ ନଥିଲେ । ବିକାଶଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କେତେକଙ୍କ ପ୍ରରୋଚନାରେ ଦ୍ରୌପଦୀ ଚେଙ୍କ ଚିକିତ୍ସା କରାଇଥିଲେ । ଏହିପରି ଭାବେ ଚେଙ୍କ ଚିକିତ୍ସା କରି ତାଙ୍କ ଶରୀରରେ ୫୦୦ରୁ ଅଧିକ ଚେଙ୍କ ଦିଆଯାଇଛି। ଚେଙ୍କ ଚିକିତ୍ସାରେ ସ୍ବାସ୍ଥ୍ୟର ଉନ୍ନତି ହେବା ପରିବର୍ତ୍ତେ ଅଧିକ ବିଗିଡି ଯାଇଥିଲା । ଶେଷରେ ତାଙ୍କର ଜୀବନଦୀପ ଲିଭିଯାଇଛି ।