କନକ ବ୍ୟୁରୋ : ନିଛାଟିଆ ରାସ୍ତା। ଏକାକୀ ଥିଲେ ଯୁବତୀ ସୁଲତାନା। ମାରଣାସ୍ତ୍ରରେ ସଜ୍ଜିତ ୨ ଲୁଟେରା ତାଙ୍କୁ ଅଟକାଇ ଲୁଟିବାକୁ ଉଦ୍ୟମ କ‌ଲେ। ମାତ୍ର ସୁଲତାନା ଡରିଗଲେ ନାହିଁ। ଟଙ୍କା ବ୍ୟାଗକୁ ରକ୍ଷା କରିବାକୁ ଯାଇ ଦୁଇ ଦୁର୍ବୃତ୍ତଙ୍କ ସହ ଲଢ଼ିଲେ। ଏମିତିକି ଜଣେ ଦୁର୍ବୃତ୍ତକୁ କାବୁ କରିନେଲେ। ଶେଷରେ ଖସିବା ପାଇଁ ସେମାନେ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲେ ଓ ଫେରାର୍ ହୋଇଯାଇଥିଲେ। ଆହତ ହେଲେ ବି ସୁଲତାନା ଲୁଟ୍‌ ଉଦ୍ୟମକୁ ବିଫଳ କରିବାରେ ସଫଳ ହୋଇଥିଲେ। ଆଜିର ଏହି ଘଟଣାଟି ବାଲିଅନ୍ତା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଯୁବତୀଙ୍କ ଏଭଳି ସାହସକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

Advertisment

କଟକ ସାଲେପୁର ଅଞ୍ଚଳର ଆଜମୀ ସୁଲତାନା ବାଳକାଟିସ୍ଥିତ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ ଚାକିରି କରନ୍ତି। ବୁଧବାର ମଧ୍ୟାହ୍ନରେ ‌ସେ ବ୍ରାହ୍ମଣସୁଆଁଲୋ, ସରକଣା, ରଣପୁର ଅଞ୍ଚଳର ବିଭିନ୍ନ ମହିଳା ମଣ୍ଡଳରୁ ଋଣ ଟଙ୍କା(ଲକ୍ଷାଧିକ ଟଙ୍କା) ସଂଗ୍ରହ କରି ବ୍ରାହ୍ମଣଷଡ଼ଙ୍ଗୀ- ଶିଶିଲୋ ରାସ୍ତାରେ ବାଳକାଟି ଅଭିମୁଖେ ଯାଉଥିଲେ। ବାଇକରେ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଅଟକାଇଥିଲେ। ସୁଲତାନା ସ୍କୁଟି ଅଟକାଇବା ମାତ୍ରେ ଦୁର୍ବୃତ୍ତଦ୍ୱୟ ଗୋଇଠା ମାରି ଗାଡ଼ିକୁ ଫୋପାଡ଼ି ଦେଇଥିଲେ। ସେମାନେ ତାଙ୍କ ହାତରୁ ଭ୍ୟାନିଟି ବ୍ୟାଗକୁ ଟାଣିନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁଲତାନା ସାହସ ଜୁଟାଇ ଲୁଟେରା ଦୁହିଁଙ୍କ ସହ ଲଢ଼ିଥିଲେ। ଶେଷରେ ତାଙ୍କ ସାହସ ଆଗରେ ହାର୍‌ ମାନି ଦୁର୍ବୃତ୍ତଦ୍ୱୟ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସୁଲତାନା ଜଣକୁ ଜାବୁଡ଼ି ଧରି ନଛାଡ଼ିବାରୁ ଅନ୍ୟ ଜଣକ ତାଙ୍କୁ ଭୁଜାଲିରେ ହାଣି ପକାଇଥିଲା। ଡାହାଣ ହାତରେ ଗଭୀର କ୍ଷତ ସୃଷ୍ଟି ହେବାରୁ ସୁଲତାନା ଦୁର୍ବୃତ୍ତକୁ ଛାଡ଼ି ଦେବାକୁ ବାଧ୍ୟ ହୋଇଥିଲେ। ବିକଳରେ ଦୁର୍ବୃତ୍ତଦ୍ୱୟ ସେଠାରୁ ଚମ୍ପଟ ମାରିଥିଲେ।

ସେମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଲାଗିଥିବା ବେଳେ ପାଟି ଶୁଣି ସ୍ଥାନୀୟ ଲୁଣା ଗାଁର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ମାତ୍ର ସେତେବେଳକୁ ଲୁଟେରାମାନେ ଫେରାର୍ ହୋଇସାରିଥିଲେ। ସ୍ଥାନୀୟ ଲୋ‌କେ ଆମ୍ବୁଲାନ୍‌ସ ଯୋଗେ ସୁଲତାନାଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ସେ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଛନ୍ତି।