ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ । ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

319

କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ପରେ ତାଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ସାମ୍ବାଦିକତା ଜଗତରେ ଏହି ଘଟଣା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶୁକ୍ରବାର ମୁଣ୍ଡଳୀଠାରେ ହାତୀଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ପାଣି ଭିତରକୁ ଯାଇଥିଲା । ଏହି ସମୟରେ ଓଡ୍ରାଫ୍ ଟିମର ବୋଟ୍ ଓଲଟି ପଡିଥିଲା । ଏହି ବୋଟରେ ଓଡ୍ରାଫ୍ ଟିମ ସହିତ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ । ହେଲେ ପାଣିର ପ୍ରଖୋର ସ୍ରୋତ ଭିତରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଅରିନ୍ଦମ ଦାସ ଏପରି ଜଣେ ରିପୋର୍ଟର ଥିଲେ, ଯିଏ ସବୁବେଳେ କାମକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରୁଥିଲେ । ବାତ୍ୟା ହେଉ କି ବନ୍ୟା, ସବୁବେଳେ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲା । ଗତ ଫନି ବାତ୍ୟା ସମୟରେ ମଧ୍ୟ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ରହି ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଥିଲା । ଯାହା ତାଙ୍କୁ ସାଧାରଣ ଲୋକଙ୍କ ଗହଣରେ ପରିଚିତ କରିପାରିଥିଲା । ଖାଲି ସେତିକି  ନୁହେଁ, ଅପରାଧଠାରୁ ଆରମ୍ଭ କରି ରାଜନୀତି, ସବୁ କ୍ଷେତ୍ରରେ ତାଙ୍କର ଦକ୍ଷତା ଭରି ରହିଥିଲା । ଆଜି ତାଙ୍କର ଦେହାନ୍ତ ପରେ ଏବେ ସାମ୍ବାଦିକତା ଜଗତରେ ଶୋକ ଖେଳିଯାଇଛି ।