ହୃଦଘାତ ପଞ୍ଝାରେ ଯୁବ ଗୋଷ୍ଠୀ । ଆଧୁନିକ ଜୀବନ ଶୈଳୀ ମୁଖ୍ୟ କାରଣ

2,705

କନକ ନ୍ୟୁଜ୍: ବଢୁଛି ହୃଦଘାତ ମୃତ୍ୟୁ ସଂଖ୍ୟା । ଖାସ୍ କରି ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖାଯାଉଛି । ଦିବଙ୍ଗତ ଅଭିନେତା ସିଦ୍ଧାନ୍ତ ଶୁକ୍ଳାଙ୍କ ମୃତ୍ୟୁ ଏହାକୁ ସ୍ପଷ୍ଟ କରୁଛି । ଖାଲି ସିଦ୍ଧାନ୍ତ ନୁହଁନ୍ତି ଅକାଳରେ ଝରିପଡୁଛି ଏପରି ଅନେକ ଜୀବନ । ତେବେ ଯୁବଗୋଷ୍ଠୀ ଉପରେ ହୃଦଘାତର ଏ କଳାଛାଇ କାହିଁକି ? ୨୫ରୁ ୪୦ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଖାଯାଉଥିବା ଏହି ସମସ୍ୟା ନେଇ ଆସନ୍ତୁ ଜାଣିବା କ’ଣ ମତ ଦିଅନ୍ତି ବିଶେଷଜ୍ଞ ।


ଫିଟ୍ ,ହ୍ୟାଣ୍ଡସମ୍ ବଡି. ଗ୍ଲାମର, କାର୍ ,ବଙ୍ଗଳା, ମନିର ଚକ୍କରରେ ଏବେ ଯୁବ ସମାଜ । ଏଥିପାଇଁ ଆପଣାଉଛନ୍ତି ଟାଇମ୍ ଇ ପର୍ସନାଲିଟି ଫର୍ମୁଲା । ହେଲେ ଅତି ସନ୍ତର୍ପଣରେ ଏହି ଫର୍ମୁଲା ହେଉଛି ମରଣାନ୍ତକ । ସୃଷ୍ଟି କରୁଛି ହୃଦଘାତ ପରି ନୀରବ ଘାତକ , ଯେଉଁଥିରେ ଅକାଳରେ ଝରିପଡୁଛି ଅନେକ ଜୀବନ । ଆଜିକାର ପ୍ରତିଯୋଗିତା ମୂଳକ ସମାଜରେ ସମସ୍ତେ ଚାହାଁନ୍ତି ଆଗକୁ ବଢିବାକୁ । ହେଲେ ସ୍ୱଳ୍ପ ସମୟରେ ସଫଳତାର ଶିଖର ଛୁଇଁବାର ନିଶା ଆଣି ଦେଉଛି ମାନସିକ ଅବସାଦ । ଫଳରେ ଶରୀରରେ ଆର୍ଡିନାଲିନ୍ ନାମକ ଏକ ହରମୋନ୍ କ୍ଷରଣ ହେଉଛି, ଯାହା ହାର୍ଟ ପାଇଁ ଘାତକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ମାନସିକ ଅବସାଦରୁ ସାମୟିକ ମୁକ୍ତି ଓ ଗ୍ଲାମର ସୋସାଇଟିରେ ଜାଗା ପାଇଁ ବଢୁଛି ଧୁମ୍ରପାନ ଓ ମଦ୍ୟପାନ ପରି କୁଅଭ୍ୟାସ । ଏସବୁ ଧିରେଧିରେ ଶରୀରରୁ ଦୁର୍ବଳ କରିବା ସହ ମୃତ୍ୟୁ ଆଡକୁ ଟାଣିନେଉଛି ।


ଅନ୍ୟପଟେ କଠିନ ପରିଶ୍ରମ କରିବାକୁ କାତର ଯୁବକଙ୍କୁ ଘାରିଛି ସିକ୍ସ ପ୍ୟାକ୍ ତଥା ଫିଟ୍ ବଡି ନିଶା । ସେମାନଙ୍କୁ ଆକୃଷ୍ଟ କରିବାକୁ ଚାରିଆଡେ ଖୋଲୁଛି ଜିମ୍ ସେଣ୍ଟର । ଏଥିରେ ବ୍ୟାୟାମ୍ ସାଙ୍ଗକୁ ବଢୁଛି ଏପରି କିଛି ଅଭ୍ୟାସ ଯାହା ହୃଦଘାତର ମୁଖ୍ୟ କାରଣ । ଦୃଢ ମାଂସପେଶି ପାଇଁ ନେଉଛନ୍ତି ଷ୍ଟେରଏଡ୍ ଇଂଜେକ୍ସନ୍ , ଏନର୍ଜି ଡ୍ରିଙ୍କସ୍ ଓ କିଟୋ ଡାଏଟ୍ । ଏହା ନେବା ଦ୍ୱାରା ଚେହେରା ତ ସୁନ୍ଦର ହୋଇଯାଏ କିନ୍ତୁ ଶରୀର ଭିତର ଫମ୍ପା ହୋଇଯାଏ । କହିବାର ଅର୍ଥ , ଏସବୁ ଗ୍ରହଣ କରିବା ଦ୍ୱାରା ଶରୀରରେ ଆରେଦିମିଆ ପରି ସମସ୍ୟା ସୃଷ୍ଟି ହୁଏ ଫଳରେ ଅନ୍ୟ ମାଂସପେଶୀ ଗୁଡିକ ବଢିବା ଯୋଗୁଁ ହାର୍ଟ ସଙ୍କୁଚିତ ହୋଇଯାଏ ।ରକ୍ତ ସଂଚାଳନ ଠିକ ଭାବେ ହୋଇପାରେ ନାହିଁ । ହୃତସ୍ପନ୍ଦନରେ ଅନିୟମିତତା ଦେଖାଯାଏ ଏବଂ କ୍ରମେ ହୃଦଘାତ ହୋଇ ଜୀବନ ନେଇଯାଏ । ଏହାସହ ଖାଦ୍ୟପେୟରେ ଅସନ୍ତୁଳନ ହୃଦଘାତର ଆଉ ଏକ କାରଣ । ଜଙ୍କଫୁଡ୍ ଓ ଫାଷ୍ଟଫୁଡ ଖାଇବା ଯୋଗୁଁ ରକ୍ତ କଣିକାରେ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧି ପାଉଛି ଫଳରେ ଠିକ ଭାବେ ରକ୍ତ ସଂଚାଳନ ନହେବାରୁ ମଧ୍ୟ ହୃଦଘାତ ପରି ସମସ୍ୟା ଦେଖାଯାଉଛି ।


ଏବେ ଆଉ ବୟସ ମାନୁନାହିଁ ରୋଗ । ଉପରୋକ୍ତ ସବୁ ଅଭ୍ୟାସ ଯୋଗୁଁ ଦେଖାଦେଉଛି ମଧୁମେହ, ଉଚ୍ଚ ରକ୍ତଚାପ ମେଦବହୁଳା ପରି ସମସ୍ୟା, ଯାହା ହୃଦଘାତକୁ ଅସମୟରେ ନିମନ୍ତ୍ରଣ କରୁଛି । ଏଥିରେ ଆକ୍ରାନ୍ତ ହେଉଛନ୍ତି ସବୁ ବୟସର ଲୋକ । ତେବେ କି ପ୍ରକାର ସଙ୍କେତ ଦେଖି ଏହା ହୃଦଘାତ ପ୍ରାକ୍ ଅବସ୍ଥା ବୋଲି ଜାଣିବେ?ଛାତିର ମଝି ଭାଗ ଦରଜ ହେବା ବା ସ୍ୱଳ୍ପ ଯନ୍ତ୍ରଣା, ବାମ ହାତ ଅଚଳ ପରି ମନେ ହେବା , ଦେହ ଅବଶ ଲାଗିବା , ଆବଶ୍ୟକତା ଠାରୁ ଅଧିକ ଝାଳ ନିର୍ଗତ ହେବା ହୃଦଘାତର ପ୍ରାକ୍ ସୂଚନା । ଏପରି ସ୍ଥିତିରେ ସୂଧାର ନହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇ ନେବା ଉଚିତ୍ ବୋଲି ବିଶେଷଜ୍ଞ ମତ ଦିଅନ୍ତି ।


ତେଣୁ ପ୍ରଥମେ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । ସୁସ୍ଥ ଶରୀର ପାଇଁ ସନ୍ତୁଳିତ ଆହାର ସହ ଆବଶ୍ୟକ ପରିଶ୍ରମ ଜରୁରୀ । ବିଶେଷ କରି ‘ନୋ ୟୋର ନମ୍ବର’ ଉପରେ ମଧ୍ୟ ଦୃଷ୍ଟି ଦେବାକୁ କହିଛନ୍ତି ଡାକ୍ତର । କହିବା ଅର୍ଥ , ୨୦ ବର୍ଷ ପରେ ନିୟମିତ ଭାବେ ରକ୍ତ ପରୀକ୍ଷା କରିବା ଜରୁରୀ । ମଧୁମେହ, ରକ୍ତ ଚାପ, କୋଲେଷ୍ଟ୍ରଲର ପରିମାଣ ଜାଣିବା ନିହାତି ଜରୁରୀ । ଏହା ସାମାନ୍ୟ ଠାରୁ କମ୍ କିମ୍ବା ଅଧିକ ଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ ବୋଲି ହୃଦରୋଗ ବିଶେଷଜ୍ଞ କହିଛନ୍ତି । ଆଧୁନିକ ଜୀବନଶୈଳୀ ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା ହିଁ ସୁସ୍ଥ ମନ ,ହୃଦୟ ତଥା ଶରୀରର ଚାବିକାଠି ବୋଲି କୁହନ୍ତି ହୃଦରୋଗ ବିଶେଷଜ୍ଞ ସତ୍ୟନାରାୟଣ ରାଉତରାୟ ।