ବିହାର ଷ୍ଟାଇଲରେ ଧର୍ମଶାଳାରୁ ଯୁବତୀ ଅପହରଣ । ଉଦ୍ଧାର କରିବା ପାଇଁ ପରିବାରକୁ ବିକଳ ହୋଇ ଫୋନକଲେ ଯୁବତୀ । ଥାନାରେ ଲଭ-ଜିହାଦର ଅଭିଯୋଗ ଆଣିଲେ ପରିବାର ଲୋକ

886

କନକ ବ୍ୟୁରୋ : ଜଣେ ୨୧ ବର୍ଷର ଯୁବତୀଙ୍କୁ ଅପହରଣ ଏବଂ ଅପହରଣ ପରେ ଧର୍ମ ପରିବର୍ତନ ଓ ବିବାହ କରିବାର ଉଦ୍ୟମ ଭଳି, ସଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳାରୁ । ଏନେଇ ଧର୍ମଶାଳା ଥାନରେ ଅଭିଯୋଗ ହୋଇଥିବା ବେଳେ ଲଭ ଜିହାଦ୍ ଭଳି ସଂଘାତିକ୍ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପ୍ରାୟ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାରେ ଅଛନ୍ତି ଯୁବତୀ । ଆଉ କୌଶଳ କ୍ରମେ ଘର ଲୋକଙ୍କୁ ଫୋନ କରି ଉଦ୍ଧାର କରିବାକୁ ନିବେଦନ କରିଛି ଅପହୃତ ଯୁବତୀ ।

ଅପହୃତ ଯୁବତୀଙ୍କ ଏହି ଫୋନ୍ କଲ ହିଁ ଘଟଣାର ସମ୍ବେଦନଶୀଳତାକୁ ବୟାନ କରୁଛି । ସଂପୃକ୍ତ ଯୁବତୀ ଫୋନ କରି ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ମାଙ୍କୁ ନିବେଦନ କରିଥିବା ବେଳେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି ଅପହୃତ ଯୁବତୀଙ୍କ ବାପା । ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୫ ତାରିଖରେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆବେଦନ ପାଇଁ ଯୁବତୀ ଜଣକ ୟୁଏନ୍ କଲେଜକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେଉଥିବା ଦେଖି ପରିବାର ଲୋକ ଫୋନ୍ କରିବାରୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ପରେ ବି କିଛି ପତ୍ତା ମିଳିନଥିଲା ।

ତେବେ ଶେଖ୍ ଅବ୍ଦୁଲ ଖାନ୍ ନାମକ ଜଣେ ଯୁବକ ପୂର୍ବରୁ ଧର୍ମ ପରିବର୍ତନ କରି ବିବାହ କରିବାକୁ ପ୍ରଲୋଭନ ଦେଖାଇଥିବାରୁ ସନ୍ଦେହ ବଢ଼ିଥିଲା । ଝିଅ ରାଜି ନହେଲେ ଜବରଦସ୍ତ ଉଠାଇ ନେବାକୁ ମଧ୍ୟ ଧମକ ଦିଆଯାଇଥିଲା । ଏହା ଲଭ୍ ଜିହାଦ୍ର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଥାନାରେ ହୋଇଥିବା ଅଭିଯୋଗରେ ସ୍ପଷ୍ଟ ଭାବେ ଧର୍ମପରିବର୍ତନ ଏବଂ ଲଭ୍ ଜିହାଦ୍ କଥା ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଏପଟେ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିବ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବଜରଙ୍ଗ ଦଳ ।

ସଂପୃକ୍ତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି ବୋଲି ଫୋନ୍ରେ ସୂଚନା ଦେଇଥିବା ବେଳେ ଯୁବତୀଙ୍କ ଅଭିଯୋଗ ଅଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛି ପୁଲିସ୍ । ଅପରାଧିକ ଷଡଯନ୍ତ୍ର ଓ ଧମକ ଅଭିଯୋଗରେ ଅଭିଯୁକ୍ତ ଯୁବକ ଶେଖ୍ ଅବଦୁଲ୍ ଖାନଙ୍କ ବାପାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଘଟଣାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତାଙ୍କ ବାପା । ଦୀର୍ଘ ୧୨ ଦିନ ହେଲା ଅପହରଣକାରୀଙ୍କ କବଜାର ଯୁବତୀ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ତୁରନ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଦାବି ହେଉଛି ।