କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ୟୁଟ୍ୟୁବ ଅନେକ ଲୋକଙ୍କୁ ରୋଜଗାରର ରାସ୍ତା ଦେଖାଉଛି । କିଏ ଭିଡିଓ କରି ରୋଜଗାର କରୁଛନ୍ତି ତ ୟୁଟ୍ୟୁବରୁ ଅନେକ କିଛି ଶିଖି ତାକୁ କାମରେ ଲଗାଇ ଦି ପଇସା ରୋଜଗାର କରୁଛନ୍ତି । ଆମେ ଆଜି ସେମିତି ଜଣେ ଯୁବକଙ୍କ କଥା କହିବୁ ଯିଏ ୟୁଟୁବରୁ ଶିଖି ଏବେ କରୁଛନ୍ତି ଜିଆ ଚାଷ । ଯାହା ତାଙ୍କୁ ସ୍ୱାବଲମ୍ବୀ କରିଛି । କେବଳ ଜିଆ ଚାଷ ନୁହେଁ ଏଥିରୁ ସେ ଜୈବିକ ପଦ୍ଧତିରେ ଚାଷ ମଧ୍ୟ କରୁଛନ୍ତି ।

Advertisment

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଛଚିନା ଗାଁର ସୁମନ ସେନାପତି । ସୁମନ ଅହମ୍ମଦାବାଦରେ ରହି ଏକ ମାର୍ବଲ କମ୍ପାନୀରେ କାମ କରୁଥିଲେ । ଚାକିରି ସମୟରେ କିଛି କରିବାର ଇଚ୍ଛା ତାଙ୍କୁ ଫାର୍ମିଂ ଆଡକୁ ଟାଣି ଆଣିଥିଲା । ୟୁଟୁବ ଦେଖି ଜିଆ ଦ୍ୱାରା ଜୈବିକ ସାର କିପରି ପ୍ରସ୍ତୁତ ହୁଏ ଓ ଏହା ଦ୍ୱାରା କଣ ଫାଇଦା ହୁଏ ତାହା ଶିଖିଥିଲେ । ଏହାପରେ ରାଜସ୍ତାନର ଜୟପୁର ଯାଇ ଜୈବିକ ପଦ୍ଧତିରେ ଜିଆ ଦ୍ୱାରା କିପରି ସାର ପ୍ରସ୍ତୁତ ହୁଏ ତାହାର ଟ୍ରେନିଙ୍ଗ ନେଇଥିଲେ । ପରେ ଗାଁକୁ ଆସି ନିଜ ଜମି ନଥିଲେ ବି ଅନ୍ୟ ଜଣଙ୍କ ଜମିକୁ ଲିଜ ନେଇ ଜିଆ ଖତ ବା ଜୈବିକ ସାର ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ।

ସୁମନ ଜିଆ ଖତ ପ୍ରସ୍ତୁତ କରିବା ସହ ଜୈବିକ ପଦ୍ଧତିରେ କଲରା, ମୂଳା,, ମରିଚ, ଲାଉ, ବୋଇତାଆଳୁ ଓ ଭେଣ୍ଡି ଭଳି ବିଭିନ୍ନ ପନିପରିବା ଫଳାଇ ପାରିଛନ୍ତି । ତେବେ ସୁମନ ପନିପରିବା ବିକ୍ରି କରିବା ସହ ଜିଆ ଓ ଜିଆ ଖତ ବିକ୍ରି କରି ବେଶ ଦୁଇ ପାଇସା ରୋଜଗାର କରିବା ସହ ପ୍ରତ୍ୟକ ଦିନ ଦୁଇରୁ ୩ଜଣକୁ କାମ ଯୋଗାଇ ପାରୁଛନ୍ତି । ତେବେ ସୁମନଙ୍କ ଜିଆ ଓ ଜିଆ ଖତ ଗଞ୍ଜାମ ଜିଲ୍ଲା ସହ ମୟୁରଭଞ୍ଜ, ଭୁବନେଶ୍ୱର, ବୌଦ୍ଧ, ବଲାଙ୍ଗିର, ଗଜପତି, କେନ୍ଦ୍ରାପଡା, ବାଲେଶ୍ୱର, ଢେଙ୍କାନାଳ ଓ ଝାରସୁଗୁଡାକୁ ପଠାଇଥାନ୍ତି । ଜିଆ କିଲୋ ପିଛା ୪୦୦ ଟଙ୍କା ହୋଇଥିବା ବେଳେ ଜିଆ ଖତ କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହୋଇଥାଏ । ତେବେ ଏହାର ଚାହିଦା ଅଧିକ ରହିଥିବାରୁ ଭଲ ଦି ପଇସା ରୋଜଗାର ହେଇପାରୁଥିବା କହିଛନ୍ତି ସୁମନ ।

ଜିଆ ଖତ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଗୋବରକୁ ଗାଁ ଗହଳିରୁ ଏକାଠି କରି ଆଣିଥାନ୍ତି ସୁମନ । ଜିଆ ଖତ ପ୍ରସ୍ତୁତ କରିବା ପାଇଁ ବେଡ ପ୍ରସ୍ତୁତ ପରେ ଗୋବରକୁ ସେଠାରେ ରଖି ସେଥିରେ ଜିଆ ଛାଡିଥାନ୍ତି । ତେବେ ସୁମନଙ୍କ ଏହି ଫାର୍ମିଙ୍ଗ ଦ୍ୱାରା ସେହି ଗାଁର ଦୁଇ ତିନି ଜଣ ବାହାରକୁ ନଯାଇ ଗାଁରେ କାମ ପାଇବା ସହ ଢେର ଦୁଇ ପାଇସା ରୋଜଗାର କରିପାରୁଛନ୍ତି ।

ଦିନକୁ ଦିନ ଲୋକେ ଚାଷରୁ ମୁହଁ ଫେରାଉଥିବା ବେଳେ ସୁମନଙ୍କ ଭଳି ଜଣେ ଯୁବ ଚାଷୀ ଜୈବିକ ପଦ୍ଧତିରେ ଚାଷ କରି ଏବେ ଚର୍ଚାର ବିଷୟ ପାଲଟିଛନ୍ତି । ତେବେ ଯୁବ ଗୋଷ୍ଠୀ ଚାକିରୀ ପଛରେ ଗୋଡାଇ ସମୟ ନଷ୍ଟ କରୁଥିବା ବେଳେ ସୁମନ ଚାକିରି ଛାଡି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।