କନକ ବ୍ୟୁରୋ: ବିଦେଶ ଚାକିରୀ ଛାଡି ଗାଁରେ ମାଛ, କୁକୁଡ଼ା ଓ ଗୋ-ପାଳନ କରି ସଫଳତା ପାଇଛନ୍ତି କେନ୍ଦ୍ରପଡ଼ାର ଯୁବ ଇଂଜିନିୟର । ଚାଷ କରି ବାର୍ଷିକ ୧୦ଲକ୍ଷରୁ ଅଧିକ ଆୟ କରୁଛନ୍ତି ଯୁବ ଇଂଜିନିୟର । କେନ୍ଦ୍ରାପଡ଼ା ବିଶ୍ୱନାଥପୁର ଗାଁର ଯୁବ ଇଂଜିନିୟର ଅମର ରାଉତ ମେକାନିକାଲରେ ଡିପ୍ଲୋମା ସାରିବା ପରେ ଚାକିରି ପାଇଁ ବିଦେଶ ଯାଇଥିଲେ । ୯ ବର୍ଷକାଳ ଭଲ ଦାରମାରେ ସେଠାରେ ଚାକିରି କରିଥିଲେ ।

Advertisment

ହେଲେ ସେଠାରେ ତାଙ୍କ ମନ ଲାଗିନଥିଲା । ଗାଁରେ ପଡିଆ ରହୁଥିବା ଜମିରେ ଚାଷ କରିବା ପାଇଁ ସେ ଚିନ୍ତା କରିଥିଲେ । ୨୦୧୯ରେ ବିଦେଶରୁ ଚାକିରି ଛାଡି ଗାଁକୁ ଆସି ଆରମ୍ଭ କରିଥିଲେ ନୂଆ ପ୍ରୟାସ । ଗାଁରେ ସେ ପ୍ରଥମେ ଏକ ଛୋଟ ପୋଖରି ଖୋଳି ସେଥିରେ ମାଛ ଚାଷ କରିବା ସହ ଏକ ଗାଈ ଫାର୍ମ କରିଥିଲେ । ବର୍ଷ ଭିତରେ ୧୬ଟି ପୋଖରିରେ ମାଛଚାଷ କରିବା ସହିତ କୁକୁଡା ଫାର୍ମ ଓ ଗୋପାଳନ କରିଛନ୍ତି ଯୁବ ଇଂଜିନିୟର ଅମର ରାଉତ । ଭାକୁର, ରୋହି, ଭେକଟି ଓ ଚିଙ୍ଗୁଡି ଚାଷ ଭଳି ବିଭିନ୍ନ ଜାତିର ମାଛ ଚାଷ କରିଛନ୍ତି । ମାଛ ଚାଷ ଲାଗି ଫିସରି ଡିପାଟମେଂଟ ତରଫର ୁ ଟ୍ରେନିଂ ନେଇଛନ୍ତି ।

ଅମର କେବଳ ଯେ ମାଛ, କୁକୁଡା ଚାଷ କରିଛନ୍ତି ତା’ ନୁହେଁ ଫାର୍ମ ଚାରିପାଖରେ ବିଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଏଥିଲାଗି ସେ ୪ଜଣ ଲୋକଙ୍କୁ ନିଯୁକ୍ତି ଦେବା ସହ ତାଙ୍କ ସହିତ ମିସି କାମ କରୁଛନ୍ତି । ଅମରଙ୍କର ଏହି ଚାଷ ଦେଖିବାକୁ ବହୁ ଦୂର ଦୂରାନ୍ତରରୁ ଲୋକମାନେ ଆସିଥାନ୍ତି । ଏହି ଚାଷ ଦେଖି ଗାଁ ଲୋକମାନେ ମଧ୍ୟ ତାଙ୍କୁ ନେଇ ଗର୍ବ ଅନୁଭବ କରନ୍ତି । ଅନ୍ୟପଟେ ଯଦି ସରକାରଙ୍କ ପକ୍ଷରୁ ଆଉ କିଛି ସାହଯ୍ୟ ମିଳେ, ଆହୁରି ଅଧିକ ଚାଷକରି ଅଧିକ ଲୋକଙ୍କୁ ନିଯୁକ୍ତି ଦିଅନ୍ତେ ବୋଲି କହିଛନ୍ତି ଅମର ।