ପଡ଼ିଆ ଜମିରେ ବରକୋଳି ଚାଷ । ରାୟଗଡା ଟିକରପଡ଼ା ଗାଁର ଚାଷୀ ଚନ୍ଦ୍ରମୋହନ ଶବର ବରକୋଳି ଚାଷ କରି ହେଉଛନ୍ତି ଲାଭବାନ

344

କନକ ବ୍ୟୁରୋ : ରାୟଗଡା ଜିଲ୍ଲା ରାମାନାଗୁଡା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁ । ଗାଁର ଅଧିକାଂଶ ଲୋକ ଧାନ, କପା ଓ ପରିବା ଚାଷ କରି ନିଜର ଗୁଜରାଣ ମେଂଟାଇଥାଆନ୍ତି । ହେଲେ ସେହି ଅଂଚଳରେ ବରକୋଳି ଚାଷ କରି ସଫଳତା ପାଇଛନ୍ତି ଚନ୍ଦ୍ରମୋହନ ଶବର ନାମକ ଜଣେ ଯୁବ ଚାଷୀ । ୟୁଟ୍ୟୁବରୁ ଏହି ଚାଷ ବିଷୟରେ ଜାଣିବା ପରେ ୨୦୨୨ରେ ଚାଷୀ ଜଣଙ୍କ ଭୁବନେଶ୍ୱରରୁ ୧୦୦ଟି ଚାରା ଆଣି ଏହି ଚାଷ ଆରମ୍ଭ କରିଥିଲେ । ବେଲ ସୁନ୍ଦରୀ, କାଶ୍ମୀର ସୁନ୍ଦରି ନାମକ ଦୁଇଟି ପ୍ରଜାତିର ବରକୋଳି ଚାଷ କରିଛନ୍ତି ଚନ୍ଦ୍ରମୋହନ । ଏହି କାମରେ ତାଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ଦୈନିକ ତାଙ୍କ କ୍ଷେତରୁ ୩୦ରୁ ୪୦ କିଲୋ ବରକୋଳି ଉତ୍ପାଦନ ହେଉଛି   । ଉତ୍ପାଦିତ ବରକୋଳିକୁ କିଲୋ ପିଛା ୮୦ ଟଙ୍କାରେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି ଯୁବ ଚାଷୀ । ତାଙ୍କ କ୍ଷେତ ନିକଟକୁ କିଛି ଲୋକ ମାନେ ଆସି ଏହାକୁ କିଣି ନେଉଛନ୍ତି ।

ଚାଷୀଙ୍କ କ୍ଷେତରୁ ଉତ୍ପାଦିତ ବରକୋଳି ବେଶ ସ୍ୱାଦିଷ୍ଟ । ସ୍ଥାନୀୟ ଅଂଚଳରେ ପ୍ରଥମ କରି ଚାଷୀ ଜଣକ ବରକୋଳି ଚାଷ କରିଥିବାରୁ ଚାଷୀଙ୍କୁ ଖୁବ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଯୁବ ଚାଷୀଙ୍କ ଏଭଳି ଭନ୍ନ ପ୍ରଣାଳୀର ଚାଷ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି ।