ଯୁବ ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ଆପକା ଧୋବୀ: ଲଣ୍ଡ୍ରି କରି ଅତ୍ମନିର୍ଭର ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

153

କନକ ବ୍ୟୁରୋ: କଟକ ସିଡିଏ ଅଂଚଳରେ ଯୁବ ଉଦ୍ୟୋଗୀ ବିକାଶ ପାତ୍ରଙ୍କ ଉଦ୍ୟମରେ ଚାଲିଛି ଆପକା ଧୋବୀ । ସେ ଆପକା ଧୋବୀ ନାଁରେ ଏକ ଲଣ୍ଡ୍ରି କରି ଅତ୍ମନିର୍ଭର ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇଛନ୍ତି । କଟକ, ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନ, ଘରୋଇ ନର୍ସିଂ ହୋମ୍ ଓ ବଡ଼ ବଡ଼ ହୋଟେଲରୁ ଅର୍ଡ଼ର ଆଣି ଭଲ ବ୍ୟବସାୟ କରୁଛନ୍ତି ବିକାଶ । ବେଡ଼ସିଟ୍, ଟାୱେଲ, କମ୍ବଳ, ସୋଫାକଭର, ସାଢୀର ଡ଼୍ରାଏ ୱାସ୍ କରି ଏହାକୁ ଡ଼େଲିଭରୀ କରନ୍ତି । କପଡ଼ା ସଫା କରିବା ସହ ଆଇରନ୍ କରି ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଉଛି ଆପକା ଧୋବୀ । ତେବେ ଏହି ଲଣ୍ଡ୍ରିରେ ପାଖାପାଖି ୧୫ଜଣ କର୍ମଚାରୀ କାମ କରି ପାରିଶ୍ରମିକ ମଧ୍ୟ ପାଉଛନ୍ତି । ଅଳ୍ପ ପଇସାରେ ଆରମ୍ଭ କରିଥିବା ଏହି ବ୍ୟବସାୟ ଆଶାତିତ ଭଲ ରୋଜଗାର ଦେଇଥିବା କହିଛନ୍ତି ଯୁବ ଉଦ୍ୟୋଗୀ ବିକାଶ ପାତ୍ର ।

ବିକାଶଙ୍କ ଘର ଜଗତସିଂହପୁର ଜିଲ୍ଲା କଇଁଜଙ୍ଗା ଗାଁରେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ବେଶି ପାଠପଢିପାରିନଥିଲେ ବିକାଶ । ପାଠ ଛାଡ଼ିବା ପରେ କିପରି ରୋଜଗାର କରିବେ ଏବଂ ପରିବାର ଚଳାଇବେ ସେନେଇ ଚିନ୍ତାରେ ପଡ଼ିଥିଲେ । ରୋଜଗାର କରିବା ପାଇଁ ବହୁତ ଚେଷ୍ଟାକରି ବିଫଳ ମଧ୍ୟ ହୋଇଥିଲେ । କିଛି ରୋଜଗାର ଆଶାରେ ୨୦୧୫ରେ ଗାଁ ଛାଡ଼ି କଟକ ଆସିଥିଲେ ବିକାଶ । ଏକ ଲଣ୍ଡ୍ରିରେ କାମ କରି ମାସକୁ ୩ ହଜାର ଟଙ୍କା ଦରମା ପାଉଥିଲେ । ଏହା ପରେ ନିଜେ କାମ ଶିଖି ନିଜେ ରୋଜଗାର କରିବା ପାଇଁ ଆରମ୍ଭ କଲେ ଆପକା ଧୋବୀ ନାମକ ଏକ ଲଣ୍ଡ୍ରି । ନିଜେ ରଖିଥିବା ସଂଚୟ ଅର୍ଥ ଏବଂ ଘରୁ କିଛି ଟଙ୍କା କରଜ କରି କଟକ ସିଡ଼ିଏ ଅଂଚଳରେ ଆରମ୍ଭ କଲେ ଆପ୍କା ଧୋବୀ ନାମରେ ଏକ ଲଣ୍ଡ୍ରି । ଯାହା ଏବେ ତାଙ୍କୁ ଏକ ନୂଆ ପରିଚୟ ଦେଇଛି ।