ଆଉ ରାଜ୍ୟ ବାହାରକୁ ଯିବେ ନାହିଁ ଶ୍ରମିକ: ନିଜେ ରୋଜଗାରକ୍ଷମ ହେବା ସହ ସ୍ଥାନୀୟ ଅଂଚଳର ଲୋକଙ୍କୁ ରୋଜଗାର ଦେଉଛନ୍ତି ଯୁବ ଉଦ୍ୟୋଗି 

981

କନକ ବ୍ୟୁରୋ: କିଛି ନୂଆ କରିବାର ଆଶା ସଫଳତା ଆଣିଦିଏ । ଆଗକୁ ବଢିବାକୁ ରାସ୍ତା ଦେଖାଏ । ଠିକ୍ ଯାହା ଘଟିଛି ଉଚ୍ଚ ଶିକ୍ଷିତ ଯୁବକ ଶ୍ରୀକାନ୍ତଙ୍କ କ୍ଷେତ୍ରରେ । ପାଠ ପଢିବା ପରେ ସରକାରୀ ଚାକିରି ପଛରେ ଗୋଡାଇ ନାହାନ୍ତି, କି ବାହାର ରାଜ୍ୟରେ କରିଥିବା କମ୍ପାନୀ ଚାକିରି ତାଙ୍କୁ ବାନ୍ଧି ରଖି ପାରିନାହିଁ । ନିଜ ଅଂଚଳରେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟଙ୍କୁ ରୋଜଗାର ଦେଇ ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଶ୍ରୀକାନ୍ତଙ୍କ ପରିକଳ୍ପନା ‘ଆଉ ସୁରତ ନୁହେଁ’କୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି ।

ଠକ୍ ଠକ୍ ହୋଇ ଚାଲିଛି ମେସିନ୍ । କେଉଁଠି ସୂତାଗୁଡ଼ା ଚାଲିଛି ତ କେଉଁଠି କପଡ଼ା ଉପରେ ପଡ଼ୁଛି ଏମ୍ରୋଟୋରି ଡ଼ିଜାଇନ୍ । ମହିଳାଙ୍କ ସହ ପୁରୁଷ  କାରିଗର ମଧ୍ୟ ଲାଗିଛନ୍ତି ଲୁଗା ଓ କପଡ଼ା ବୁଣା କାର୍ଯ୍ୟରେ । ଏଦୃଶ୍ୟକୁ ଦେଖିଲେ ଓଡ଼ିଆ ଶ୍ରମିକ ସୁରତରେ କାମ କଲା ଭଳି ଲାଗୁଛି । କିନ୍ତୁ ଏ ଦୃଶ୍ୟ ସୁରତର ନୁହେଁ , ଏ ହେଉଛି କଟକ ଆଠଗଡ଼ ବ୍ଲକ  ଭୋଗରା ଗାଁର । ୩୧ ବର୍ଷୀୟ  ଶ୍ରୀକାନ୍ତ ରାଉତ  ୨୦୧୮ରୁ ନିଜ ଗାଁରେ ‘ତନ୍ତୁଲୋମ ଟେକ୍ସଟାଇଲ’ ନାମକ ଏକ କଂପାନୀ ଖୋଲିଛନ୍ତି । ୪ ବର୍ଷ ମଧ୍ୟରେ ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହାସହ ୩୦ରୁ ଅଧିକ ଓଡ଼ିଆ ଶ୍ରମିକ ଏଠାରେ କାମ କରି ପରିବାର ପୋଷୁଛନ୍ତି । ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିଛନ୍ତି ।

ଦିଲ୍ଲୀରେ ଏମବିଏ କରି ଏକ କଂପାନୀରେ ଚାକିରି କରିଥିଲେ । ହେଲେ ସେଥିରେ ତାଙ୍କୁ ଆତ୍ମସନ୍ତୋଷ ମିଳୁନଥିଲା । ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାରକ୍ଷମ କରିବାର ନିଶା ଶ୍ରୀକାନ୍ତଙ୍କ ଠାରୁ ଚାକିରୀକୁ ଦୂରେଇ ଦେଇଥିଲା । ବାହାରୁ ଫେରିଆସିଥିଲେ ଗାଁକୁ । ୩୦ ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ ଏହି କଂପାନୀ । ଏବେ ଶ୍ରୀକାନ୍ତଙ୍କ ଫ୍ୟାକ୍ଟ୍ରିରେ କଟନ ଏମ୍ରୋଟୋରି ଶାଢ଼ୀ ସହ ମାଣିଆବନ୍ଧୀ , ସମ୍ବଲପୁରୀ ଡ଼ିଜାଇନର କପଡ଼ା ପ୍ରସ୍ତୁତ କରୁଛନ୍ତି କାରିଗର ।

ଶ୍ରୀକାନ୍ତଙ୍କ ଏଭଳି ପ୍ରଚେଷ୍ଟା ଫଳରେ  ସୁରତ ଛାଡ଼ି ଓଡ଼ିଆ କାରିଗର ଏବେ ଓଡ଼ିଶା ମୁହାଁ ହେଉଛନ୍ତି । ଯଦି ଏପରି  ଅନେକ କପଡ଼ା ଫ୍ୟାକ୍ଟ୍ରି ଓଡ଼ିଶାରେ ଖୋଲନ୍ତା ତେବେ ଓଡ଼ିଆ ଶ୍ରମିକମାନେ ଆଉ ସୁରତ ମୁହାଁ ହୁଅନ୍ତେ ନାହିଁ ।