ଯାହା ପାରିଲାନି ପୋଲିସ- ପ୍ରଶାସନ, ତାହା କରିଦେଲେ ଯୁବକ । ପ୍ରଶାସନ ନଶୁଣିବାରୁ ନିଜ ଖର୍ଚ୍ଚରେ ସହର ସାରା ଯୁବକ ଲଗାଇଲେ ସିସିଟିଭି । ଚର୍ଚ୍ଚାରେ ମାଲକାନଗିରିର ବିନୋଦ ।

235

କନକ ବ୍ୟୁରୋ: କମିବ ଅପରାଧ, ଡରିବେ ଅପରାଧୀ । ଉପରୁ ଥାଇ ସବୁ ଦେଖିବ କ୍ୟାମେରାର ଆଖି । ପାରିଲାନି ପ୍ରଶାସନ, ଶୁଣିଲାନି ପୋଲିସ । ନିଜ ଖର୍ଚ୍ଚରେ ଯୁବକ ଲଗାଇଲେ ସହରରେ ସିସିଟିଭି । ଏବେ କମିବ କ୍ରାଇମ, ଛାନିଆ ହେବେ ଛିନତାଇ ଗ୍ୟାଙ୍ଗ । ଲୁଟ, ହତ୍ୟା, ଅପରାଧ ଭିଆଇବା ପୂର୍ବରୁ ଅନେକ ଥର ଭାବିବେ ଆଉ ଉପରରକୁ ଅନାଇବେ । କାରଣ ସେମାନଙ୍କ ଉପରେ ରହିଛି ସିସିଟିଭିର ଆଖି, କଡା ନଜର ରଖିଛି କ୍ୟାମେରା । କିଛି ବି ଏପଟ ସେପଟ କଲେ କ୍ୟାମେରାରେ କଏଦ ହେବ ପୂରା କାରନାମା । ଆଉ ଏହି ସିସିଟିଭି କେଉଁ ପୋଲିସ, କି ପ୍ରଶାସନ ଲଗାଇନି ବରଂ ଲୋକଙ୍କ ସୁରକ୍ଷା ପାଇଁ ଏମିତି ଏକ ମହାନ କାମ କରିଛନ୍ତି ସ୍ଥାନୀୟ ଯୁବକ ବିନୋଦ ଟାୱାରୀ ।

ଦିନକୁ ଦିନ ମାଲକାନଗିରି ସହରରେ ଦୁର୍ଘଟଣା ସହ ଅପରାଧ ବି ବଢିବାରେ ଲାଗିଛି । ବିଭିନ୍ନ ଅଞ୍ଚଳରୁ ଲୋକେ ମାଲକାନଗିରି ଆସୁଥିବାରୁ ଏବେ ସୁରକ୍ଷିତ ନୁହେଁ ସହର । ଅନ୍ୟପଟେ ଦୃତ ଗାଡି ଚାଳନା ପାଇଁ ବି ରାସ୍ତାରେ ଅନେକ ଦୁର୍ଘଟଣା ହେଉଛି । ତେଣୁ ଏସବୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ସହରର ପ୍ରମୁଖ ଛକମାନଙ୍କରେ ସିସିଟିଭି ଲଗାଇବାକୁ ଦାବି କରାଯାଇଥିଲା । ବାରମ୍ବାର ଦାବି ପରେ ବି କେହି ନଶୁଣିବାରୁ ବିନୋଦ ନିଜ ଖର୍ଚ୍ଚରେ ନିଜ ଅଞ୍ଚଳର ସୁରକ୍ଷା ପାଇଁ ସିସିଟିଭି ଲଗାଇଛନ୍ତି ।

ତେବେ ସହରର ବିଭିନ୍ନ ଛକମାନଙ୍କରେ କ୍ୟାମେରା ଲଗାଇବା ସହ ୩୨୬ ନଂ ଜାତୀୟ ରାଜପଥ ବାଲିମେଳା ଛକରେ ୩ଟି ହାଇ ଡେଫିନେସନ ଏବଂ ୱେୟାରଲେସ ସିସିଟିଭି ଲଗାଇଛନ୍ତି ବିନୋଦ । ଯେଉଁଥିପାଇଁ ସେ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି । ନିଜ ଅଞ୍ଚଳରର ସୁରକ୍ଷା ପାଇଁ ଯେଉଁଠି ପୋଲିସ କିମ୍ବା ପ୍ରଶାସନ କର୍ଣ୍ଣପାତ କଲାନି ସେଠି ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଦାୟିତ୍ୱ ନେଇ ନିଜ ସିସିଟିଭି କିଣି ଲଗାଇବା କମ ବଡ କଥା ନୁହେଁ । ଆଉ ସମାଜସେବାରେ ସବୁବେଳେ ଆଗରେ ରହୁଥିବା ବିନୋଦ ପୁଣି ଏକ ସାମାଜିକ କାମ କରି ଏବେ ପୂରା ସହରର ସୁନାପୁଅ ସାଜିଛନ୍ତି ।