ପଞ୍ଚାୟତରେ ମଙ୍ଗ ଧରିବେ ଯୁବ ସମାଜ ! ଲୋକଙ୍କ ସେବା କରିବାକୁ ଆଗଭର ପାଠୁଆ ପ୍ରାର୍ଥୀ ।

137

କନକ ବ୍ୟୁରୋ: ରାଜନୀତିର ପ୍ରାଥମିକ ସ୍କୁଲ କୁହାଯାଉଥିବା ପଞ୍ଚାୟତ ନିର୍ବାଚନରେ ଚଳିତ ଥର ଦେଖିବାକୁ ମିଳିଛି ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କ ଭିଡ । ନାମାଙ୍କନ ପ୍ରକ୍ରିୟା ଚାଲିଥିବା ବେଳେ ଅନେକ ଶିକ୍ଷିତ ଯୁବକ ଯୁବତୀ ପ୍ରାର୍ଥୀ ହୋଇ ଲୋକଙ୍କ ସେବା କରିବାକୁ ଦେଖାଇଛନ୍ତି ଆଗ୍ରହ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରୁବି ବେହେରା : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟ ଗ୍ରାମପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରୁବି ବେହେରା । ସେ ୨୦୧୮ରେ ପଞ୍ଜାବ ବୋର୍ଡରେ ୯୯ ପ୍ରତିଶତ ରଖିଥିବା ରୁବି ଏବେ ଲୋକଙ୍କ ସେବା କରିବାକୁ ଆଗ୍ରହ ଦେଖାଇଛନ୍ତି । ତେଣୁ ଏଥର ପଞ୍ଚାୟତ ନିର୍ବାଚନରେ ସେ ପ୍ରାର୍ଥୀ ହୋଇ ମୈଦାନକୁ ଓହ୍ଲାଇଛନ୍ତି ।

ରିୟା ନାୟକ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶୁରୁଗୁଞ୍ଜା ଗ୍ରାମର ରିୟା ଏବେ ସ୍ୱାଧୀନ ଭାବରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ୨୦୨୧ରେ ବିଏସଏସି କେମେଷ୍ଟ୍ରି ଅନର୍ସରେ ପାସ୍ କରିଥିବା ଏହି ଯୁବତୀ ଏବେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ।

ଏସ ରଶ୍ମିତା ପାତ୍ର : ଖଲ୍ଲିକୋଟ ବ୍ଲକ ଓଡିଆ ଆଲପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏସ ରଶ୍ମିତା ପାତ୍ର । ବିସିଏ ପାସ କରିଥିବା ରଶ୍ମିତା ବୋହୂ ହୋଇ ଏବେ ପଞ୍ଚାୟତ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି ।

ସେହିପରି ସରକାରୀ ଚାକିରିରୁ ଅବସର ପରେ ମଧ୍ୟ ଅନେକ ବ୍ୟକ୍ତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଏନଏସଜିର ବ୍ଲାକ କମାଣ୍ଡୋରୁ ଅବସର ନେଇଥିବା ଦେ ନାରାୟଣ ତିୱାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୬୫ ବୟସରେ କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଳକର ଜୋନ ୧ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ କନକ ଲତା ପେଣ୍ଠିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଜିତିଥିବା ଏହି ବୃଦ୍ଧା ଚଳିତଥର ମଧ୍ୟ ଜନତାଙ୍କ ଆଶୀର୍ବାଦ ପାଇବେ ବୋଲି ଆଶା ରଖିଛନ୍ତି । ଜଗତସିଂହପୁୁର ଜିଲ୍ଲା ବାଲିକୁଦା ବ୍ଲକର ୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଡାକ୍ତର ଶଶାଙ୍କ ଶେଖର ସାହାଣୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ତେବେ ସମୟ ସହିତ ରାଜନୀତି ପ୍ରତି ଲୋକଙ୍କ ରୁଚି ବଦଳିଛି । ପୂର୍ବରୁ ରାଜନୀତିରେ ଶିକ୍ଷିତ ବର୍ଗଙ୍କର ସଂଖ୍ୟା କମ୍ ଥିଲା । ଏବେ କିନ୍ତୁ ଏହି ସଂଖ୍ୟା ବଢି ଚାଲିଛି ।