ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନିୟମ । ଏହି କାମ ନକଲେ ଆଉ ଆପଣଙ୍କୁ ମିଳିବନି ଗ୍ୟାସ ସିଲିଣ୍ଡର ।

2,131

କନକ ବ୍ୟୁରୋ : ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ସିଲିଣ୍ଡର ପାଇଁ ଏଣିକି ଓଟିପି ଜରୁରୀ । ଏଣିକି ଆଉ ହୋଇପାରିବନି ଗ୍ୟାସ ଚୋରି । ଗ୍ୟାସ ବିତରଣରେ ଏଣିକି ହୋଇପାରିବନି କୌଣସି ଜାଲିଆତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସିଲିଣ୍ଡର ଚୋରିକୁ ରୋକିବା ପାଇଁ ତଥା ସଠିକ୍ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ କମ୍ପାନୀଗୁଡିକ ଡେଲିଭରି ଅଥେନଟିକେସନ୍ କୋଡ୍ ବା ଡିଏସି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆଉ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଲାଗୁ ହେବ ଏହି ନୂଆ ନିୟମ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ନୂତନ ବ୍ୟବସ୍ଥାରେ ଆପଣଙ୍କୁ କ’ଣ କରିବାକୁ ପଡିବ । ତେବେ ଏହି ନୂତନ ବ୍ୟବସ୍ଥା ଅତ୍ୟନ୍ତ ସରଳ ଅଟେ । ଯେତେବେଳେ ଜଣେ ବ୍ୟକ୍ତି ଗ୍ୟାସ ସିଲିଣ୍ଡର ପାଇଁ ବୁକ୍ କରିବେ, ସେତେବେଳେ ତାଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ସେ ଏକ ଓଟିପି ବା କୋଡ୍ ଟିଏ ପାଇବେ । ଆଉ ବିତରଣ ସମୟରେ ଏଲପିଜି ସିଲିଣ୍ଡର ଗ୍ରହଣ ପାଇଁ ଗ୍ରାହକମାନଙ୍କୁ ଏହି କୋଡ୍ ଦେଖାଇବାକୁ ପଡିବ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି ଗ୍ରାହକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି । ଯେଉଁମାନଙ୍କର ଏଲପିଜି ବିତରଣ ବିଭାଗ ସହ, ସେମାନଙ୍କର ବିବରଣୀ ଅପଡେଟ୍ ହୋଇନାହିଁ । ତେଣୁ ନଭେମ୍ବର ୧ ତାରିଖ ପୂର୍ବରୁ ଆପଣ ଆପଣଙ୍କର ବିବରଣୀ ଅପଡେଟ୍ କରାଇନିଅନ୍ତୁ । ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ ହେବ, ବାଣିଜ୍ୟିକ କ୍ଷେତ୍ର ପାଇଁ ବ୍ୟବହାର ହେଉଥିବା ଗ୍ୟାସ ଗୁଡିକ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।