ଦିଲ୍ଲୀରେ କୃଷକ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ କଡା ଟିପଣୀ : ଅନୁମତି ପାଇଁ ଆବେଦନ କରିଥିବା ମହାପଂଚାୟତକୁ କଲେ ପ୍ରଶ୍ନ

 କହିଲେ ଆନ୍ଦୋଳନ କରି ଆପଣମାନେ ସହରକୁ କରୁଛନ୍ତି ଶ୍ୱାସରୁଦ୍ଧ; ମାମଲା କୋର୍ଟରେ ରହିଛି, ବିରୋଧ ପ୍ରଦର୍ଶନର ଆବଶ୍ୟକତା କଣ 

163

କନକ ବ୍ୟୁରୋ : ଜନ୍ତରମନ୍ତରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି । କୃଷକଙ୍କ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋର୍ଟ କହିଛନ୍ତି, ଆନ୍ଦୋଳନ ବେଳେ ଆପଣମାନେ ଟ୍ରେନ୍ ଅଟକାଉଛନ୍ତି, ଜାତୀୟ ରାଜପଥ ବନ୍ଦ କରୁଛନ୍ତି । ଏପରି କଲେ ସହରାଂଚଳର ଲୋକେ କ’ଣ ବ୍ୟବସାୟ ବନ୍ଦ କରିଦେବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଆପଣଙ୍କ ଧାରଣା ଯୋଗୁ କ’ଣ ସହରର ଲୋକେ ଖୁସି ହେବେ । ସୁପ୍ରିମକୋର୍ଟ କହିଛନ୍ତି, ଆପଣମାନେ ପୂରା ସହରକୁ ବନ୍ଦ କରିଦେଉଛନ୍ତି । କେବଳ ସେତିକି ନୁହଁ ସହର ମଧ୍ୟରେ ମଧ୍ୟ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଜଷ୍ଟିସ୍ ଏଏସ୍ ଖାନବିଲକର ଓ ଜଷ୍ଟିସ୍ ରବିକୁମାରଙ୍କ ବେଂଚ କହିଛନ୍ତି, ଆପଣମାନେ କୃଷି ଆଇନ ବିରୋଧରେ ସୁପ୍ରିକୋର୍ଟରେ ପହଂଚିଛନ୍ତି । ଏହାର ଅର୍ଥ ଆପଣମାନଙ୍କର କୋର୍ଟ ଉପରେ ଭରସା ଅଛି । ତାହେଲେ ବିରୋଧ ପ୍ରଦର୍ଶନର କ’ଣ ଆବଶ୍ୟକ ବୋଲି କହିଛନ୍ତି । ଶୁଣାଣି ବେଳେ କୋର୍ଟ କହିଛନ୍ତି, ଲୋକଙ୍କୁ ନିର୍ଭୟରେ ବୁଲିବାର ଅଧିକାର ରହିଛି  । ବିରୋଧ ଯୋଗୁ ଲୋକଙ୍କ ସମ୍ପତି ନଷ୍ଟ ହେଉଛି । ଏହା ସହ କୋର୍ଟ କହିଛନ୍ତି ଆପଣମାନଙ୍କର ବିରୋଧ ପ୍ରଦର୍ଶନ କରିବାର ମଧ୍ୟ ଅଧିକାର ରହିଛି । ହେଲେ ପ୍ରଦର୍ଶନ ନାଁରେ ସମ୍ପତି ନଷ୍ଟ ଓ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ ପାଇଁ ଅନୁମତି ଦିଆଯାଇପାରିବ ନାହିଁ  ।