ଏଟିଏମରୁ ଚିରା ଫଟା ନୋଟ ବାହାରିଛି କି? ଫେରସ୍ତ ନେବାକୁ ମନା କରିପାରିବନି ବ୍ୟାଙ୍କ, ଜାଣନ୍ତୁ ଏଥିପାଇଁ କରିବେ କଣ?

144

କନକ ବ୍ୟୁରୋ : ଏଟିଏମରୁ ବାହାରିଛି କି ଚିରାଫଟା ନୋଟ୍ ? ବ୍ୟସ୍ତ ହୁଅନ୍ତୁ ନାହିଁ, ଜାଣନ୍ତୁ କ’ଣ କରିବେ ? ଆପଣ ଏଟିଏମରୁ ଟଙ୍କା ଉଠାଇବା ବେଳେ କେବେ ଫଟା କିମ୍ବା ଚିରା ନୋଟ୍ ବାହାରିଛି କି ? ଯଦି ନା ତେବେ ହୁଏତ ଆପଣ କେବେ ନା କେବେ ଏହି ସମସ୍ୟାର ସାମ୍ନା କରିପାରନ୍ତି । ଆଜି ଆମେ ଆପଣଙ୍କୁ କହିବୁ, ଯଦି ଏଟିଏମରୁ ଫଟା ଚିରା ନୋଟ୍ ବାହାରେ, ତେବେ ଆପଣ କ’ଣ କରିବେ ।

ଯଦି ଏଟିଏମରୁ ଏମିତି କିଛି ନୋଟ୍ ବାହାରୁଛି, ଯାହା ମାର୍କେଟରେ ବ୍ୟବହାର କରିବା ହୁଏତ କଷ୍ଟକର ଅର୍ଥାତ ନୋଟଟି ଚିରାଫଟା ରହିଥାଏ, ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ନୋଟକୁ ବଦଳାଇ ଆପଣ ଏହା ବଦଳରେ ନୂଆ ନୋଟ୍ ପାଇପାରିବେ । ତେବେ ଏଥିପାଇଁ କେବଳ ଆପଣଙ୍କୁ ଏକ ଛୋଟ କାମଟିଏ କରିବାକୁ ପଡିବ ।

ଏଟିଏମରୁ ବାହାରୁଥିବା ଫଟା ନୋଟର ଅଭିଯୋଗ ସାଧାରଣ କଥା, କିନ୍ତୁ ସମସ୍ୟାଟି ଅତ୍ୟନ୍ତ ଗୁରୁତର । ତେଣୁ ରିଜର୍ଭ ବ୍ୟାଙ୍କ ଲୋକଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିଛି । ଯାହା ଏହି ସମସ୍ୟାର ସମାଧାନ କରିବ । ତେବେ ଆସନ୍ତୁ ଜାଣିବା କଣ ଏହି ବ୍ୟବସ୍ଥା ଏବଂ ଆପଣଙ୍କୁ କେମିତି ମିଳିବ ଫାଇଦା ।

ଯଦି ଏଟିଏମରୁ ଏମିତି ନୋଟ୍ ବାହାରେ, ତେବେ ପ୍ରଥମେ ଆପଣ ସେହି ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ, ଯେଉଁ ବ୍ୟାଙ୍କର ଏଟିଏମରୁ ଆପଣ ଟଙ୍କା ଉଠାଇଥିଲେ । ବ୍ୟାଙ୍କ ଆପଣଙ୍କୁ ଏକ ଫର୍ମ ଭରିବାକୁ ଦେବ, ଯେଉଁଥିରେ ଆପଣଙ୍କୁ କିଛି ତଥ୍ୟ ଭରିବାକୁ ପଡିବ । ଯେଉଁଥିରେ କି, ଆପଣ ଏଟିଏମରୁ କେବେ ଟଙ୍କା ଉଠାଇଥିଲେ, ସମୟ କେତେ ଥିଲା, ତାହା ଲେଖିବାକୁ ହେବ ଏବଂ ଯଦି ଆପଣଙ୍କ ପାଖରେ ଏଟିଏମର ସ୍ଲିପ୍ ରହିଥିବ ତେବେ ତାକୁ ମଧ୍ୟ ଯୋଡି ଦିଅନ୍ତୁ । ଯଦି ସ୍ଲିପ୍ ନାହିଁ, ତେବେ ମୋବାଇଲକୁ ଆସିଥିବା ମେସେଜ ବିଷୟରେ ତଥ୍ୟ ଦେବାକୁ ପଡିବ ।

ଏହି ଆପ୍ଲିକେସନ ଜମା କରିବା ପରେ, ବ୍ୟାଙ୍କ ଅଧିକାରୀ ଆପଣଙ୍କ ଆକାଉଂଟ ଡିଟେଲ୍ସ ଭେରିଫାଏ କରିବେ । ଯଦି ସବୁ କିଛି ଠିକ୍ ଥିବ, ତେବେ ବ୍ୟାଙ୍କ ଆପଣଙ୍କ ଚିରାଫଟା ନୋଟକୁ ବଦଳାଇ ନୂଆ ନୋଟ୍ ଦବ ।

ତେବେ ଆରବିଆଇର ଏକ୍ସଚେଞ୍ଜ କରେନ୍ସି ନିୟମ ୨୦୧୭ ଅନୁଯାୟୀ, ଯଦି ଏଟିଏମରୁ ଫଟା ନୋଟ୍ ବାହାରୁଛି, ତେବେ ଏଥିପାଇଁ ବ୍ୟାଙ୍କ ହିଁ ଦାୟୀ । ଯଦି କୌଣସି ବ୍ୟାଙ୍କ ଆପଣଙ୍କୁ ଏଥିପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଏ କିମ୍ବା ନୋଟ୍ ବଦଳାଇବା ପାଇଁ ମନା କରିଦିଏ, ତେବେ ଆପଣ ଏନେଇ ଥାନାରେ ଅଭିଯୋଗ କରିପାରିବେ । ଆରବିଆଇର ନିୟମ ଅନୁଯାୟୀ, ଏମିତି କରୁଥିବା ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ ।

ଆରବିଆଇ ମଝିରେ ମଝିରେ ଚିରା ଫଟା ନୋଟକୁ ନେଇ ସର୍କୁଲାର ଜାରି କରିଥାଏ । ଏହି ନୋଟକୁ ଅତି ସହଜରେ କୌଣସି ବ୍ୟାଙ୍କ ନଚେତ ଆରବିଆଇର କାର୍ଯ୍ୟାଳୟରେ ମଧ୍ୟ ବଦଳାଇପାରିବେ । ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଥରକରେ ସର୍ବାଧିକ ୨୦ଟି ନୋଟ ବଦଳାଇ ପାରିବ, ଆଉ ଏହାର ମୂଲ୍ୟ ସର୍ବାଧିକ ୫ ହଜାରରୁ ଅଧିକ ହେବନାହିଁ । ତେବେ ଅଧାରୁ ଅଧିକ ପୋଡି ଯାଇଥିବା କିମ୍ବା ନୋଟ ଛୋଟ ଛୋଟ ଆକାରରେ ଖଣ୍ଡ ଖଣ୍ଡ ହୋଇଥିଲେ ଏହା ବ୍ୟାଙ୍କ ଦ୍ୱାରା ଗ୍ରହଣୀୟ ହେବ ନାହିଁ । ଏହାକୁ ଆରବିଆଇର ଇସ୍ୟୁ ଅଫିସରେ ଜମା କରିପାରିବେ ।