୪୮ ଟଙ୍କାର ପେଟ୍ରୋଲକୁ ଆପଣ କିଣୁଛନ୍ତି ୧୧୦ ଟଙ୍କାରେ । ଜାଣନ୍ତୁ ଏହା ପଛର କାରଣ କଣ?

245

କନକ ବ୍ୟୁରୋ: ଆମେ କିଣୁଥିବା ଏକ ଲିଟର ପେଟ୍ରୋଲରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଟାକ୍ସ ବାବଦକୁ କେତେ କେତେ ଟଙ୍କା ନେଉଛନ୍ତି ? ଭାରତରେ ପେଟ୍ରୋଲ ମୂଳ ଦର ୪୮ ଟଙ୍କା ୪୩ ପଇସା ରହିଥିବା ବେଳେ ଆମେ ଦେଉଛେ ୧୧୦ ଟଙ୍କା ୬୮ପଇସା । ଅର୍ଥାତ ବିଭିନ୍ନ ଟିକସ ଓ ସେସ୍ ବାବଦକୁ କେନ୍ଦ୍ର ଓ ରାଜ୍ୟ ସରକାର ନେଉଛନ୍ତି ପ୍ରାୟ ୬୨ ଟଙ୍କା । ତେଣୁ ଜାଣିରଖନ୍ତୁ, ପେଟ୍ରୋଲ ପାଇଁ ଆପଣ ଗଣୁଥିବା ଟଙ୍କାର ପୂରା ଗଣିତ ।

ସୋମବାର ତୈଳ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଯଥାକ୍ରମେ ୩୭ ପଇସା ଓ ୪୦ ପଇସା ବୃଦ୍ଧି କରିଛନ୍ତି । ଫଳରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଦର ୧୧୦ ଟଙ୍କା ଟପିଯାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଲିଟର ପିଛା ଦର ୧୧୦ ଟଙ୍କା ୬୮ ପଇସା ଓ ଡିଜେଲ ଲିଟର ୧୦୭ ଟଙ୍କା ୩୮ ପଇସାରେ ବିକ୍ରି ହେଉଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରାଜଧାନୀ ଭୁବନେଶ୍ୱରରେ ୧୧୦ ଟଙ୍କାରୁ ଅଧିକ ଦେଇ ଆମେ ଯେଉଁ ପେଟ୍ରୋଲ ଓ ଡିଜେଲ କିଣୁଛେ, ତାର ପ୍ରକୃତ ମୂଲ୍ୟ ୪୫ ରୁ ୫୦ ଟଙ୍କା ଭିତରେ । ବାକି ଟଙ୍କା ଟିକସ ବାବଦରେ ନେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।

ଏବେ ନଜର ପକାନ୍ତୁ ଭୁବନେଶ୍ୱରରେ ବିକ୍ରି ହେଉଥିବା ତୈଳ ଦରର ଗଣିତ ଉପରେ

  • ସୋମବାର ଭୁବନେଶ୍ୱରରେ ବିକ୍ରି ହେଉଥିବା ପେଟ୍ରୋଲର…
  • ମୌଳିକ ମୂଲ୍ୟ ହେଉଛି ୪୮ ଟଙ୍କା ୪୩ ପଇସା
  • କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ରହିଛି ୩୨ ଟଙ୍କା ୯୦ ପଇସା
  • ରାଜ୍ୟ ସରକାର ୩୨% ହିସାବରେ ନେଉଛନ୍ତି ଭାଟ, ଯାହା ୨୫ଟଙ୍କା ୯୬ ପଇସା
  • ଡିଲର କମିଶନ ୩ ଟଙ୍କା ୩୯ ପଇସା
  • ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୧୧୦ ଟଙ୍କା ୬୮ପଇସା

ସେହିପରି ଡିଜେଲର

  • ମୌଳିକ ମୂଲ୍ୟ ୫୦ ଟଙ୍କା ୪୭ ପଇସା
  • କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି ୩୧ ଟଙ୍କା ୮୦ପଇସା
  • ରାଜ୍ୟ ସରକାର ୨୮ପ୍ରତିଶତ ହିସାବରେ ନେଉଛନ୍ତି ଭାଟ ଯାହା ୨୨ ଟଙ୍କା ୯୮ପଇସା
  • ଡିଲର କମିଶନ ୨ଟଙ୍କା ୧୩ ପଇସା
  • ଏହିପରି ଲିଟର ପିଛା ଗ୍ରାହକ ଗଣୁଛନ୍ତି ମୋଟ୍ ୧୦୭ ଟଙ୍କା ୩୮ ପଇସା

ଗତ ସାଧାରଣ ବଜେଟରେ କୃଷିର ବିକାଶ ପାଇଁ ତୈଳ ଦର ଉପରେ ସେସ ବସାଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ଅତିରିକ୍ତ କୃଷି ସେସ ଯୋଗୁଁ ଗ୍ରାହକଙ୍କୁ ଅଧିକ ଦର ଦେବାକୁ ପଡିବ ନାହିଁ ବୋଲି କୁହାଯାଇଥିଲା । ସେଥିପାଇଁ କେନ୍ଦ୍ର ତେଲ ନେଉଥିବା ଏକସାଇଜ ଡ୍ୟୁଟିରେ ସଂଶୋଧନ କରିଥିଲେ ସରକାର..

ପେଟ୍ରୋଲରେ କେତେ ଆଦାୟ ହେଉଛି ଉତ୍ପାଦନ ଶୁଳ୍କ

  • ବେସିକ ଏକସାଇଜ ଟିକସ ୧ ଟଙ୍କା ୪୮ ପଇସା
  • ଅତିରିକ୍ତ ଏକସାଇଜ ଟିକସ ୧୧ ଟଙ୍କା
  • ରୋଡ୍ ସେସ୍ ୧୮ ଟଙ୍କା
  • ନୂତନ କୃଷି ସେସ୍ ୨ ଟଙ୍କା ୫୦ପଇସା

ସେହିପରି ଡିଜେଲରେ କେତେ ଆଦାୟ ହେଉଛି ଉତ୍ପାଦନ ଶୁଳ୍କ

  • ବେସିକ ଏକସାଇଜ ଟିକସ ୧ ଟଙ୍କା ୮୩ ପଇସା
  • ଅତିରିକ୍ତ ଏକସାଇଜ ଟିକସ ୮ ଟଙ୍କା
  • ରୋଡ୍ ସେସ୍ ୧୮ ଟଙ୍କା
  • ନୂତନ କୃଷି ସେସ୍ ୪ ଟଙ୍କା

ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ଆଗକୁ ଆହୁରି ବଢିବ ବୋଲି ଆଶଙ୍କା ଥିବାରୁ ମୁଣ୍ଡ ବିନ୍ଧାର କାରଣ ହୋଇଛି ।