ଉତ୍ତରପ୍ରଦେଶରେ କୋହଳ ହେଲା କରୋନା କଟକଣା । ଜୁଲାଇ ୫ ରୁ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ ଓ ଜିମ୍

ଜୁଲାଇ ୫ ରୁ ଉତ୍ତରପ୍ରଦେଶରେ କୋହଳ ହେବ କରୋନା କଟକଣା

145

କନକ ବ୍ୟୁରୋ : କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ଏବେ ୫୦ ହଜାର ଭିତରେ ରହିଛି । ଏହାସହ ଅଳ୍ପ କିଛି ରାଜ୍ୟ ବ୍ୟତୀତ ଅଧିକାଂଶ ରାଜ୍ୟରେ ସଂକ୍ରମଣ ହାର ବେସ୍ କମିଛି । ଏହାକୁ ନଜରରେ ରଖି ଉତ୍ତରପ୍ରଦେଶ ସରକାର କରୋନା କଟକଣାରେ କୋହଳ କରିଛନ୍ତି ।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ମୁତାବକ ଜୁଲାଇ ୫ ତାରିଖ ଠାରୁ ରାଜ୍ୟରେ ମଲ୍ଟିପ୍ଲେକ୍ସ, ସିନେମା ହଲ ଓ ଜିମ୍ ଖୋଲାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି କରୋନା କାଳରେ ବିଶେଷ ଭାବେ ସିନେମା ହଲ୍ ପରିଚାଳକ ମାନେ କ୍ଷତି ସହିଛନ୍ତି । ଏହାସହ କରୋନା ପ୍ରବନ୍ଧନ ପାଇଁ ରାଜ୍ୟରେ ଗଠିତ ହୋଇଥିବା ଟିମ-୯ କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୫ ତାରିଖ ଠାରୁ ମଲ୍ଟିପ୍ଲେକ୍ସ ସିନେମା ହଲ,ଜିମ୍ ଓ ସ୍ପୋର୍ଟସ୍ ଷ୍ଟାଡିୟମ ଗୁଡିକ କରୋନା କଟକଣା ଭିତରେ ଖୋଲାଯିବାକୁ ଅନୁମତି ଦିଆଯାଉ ।

ଅନ୍ୟପଟେ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଯୋଗୀ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ଗାଁ ଓ ଛୋଟ ଛୋଟ ବସ୍ତି ଅଞ୍ଚଳ ସହ ମହାନଗର ନିଗମରେ ‘ହେଲ୍ଥ ଏଟିଏମ’ ସ୍ଥାପନ କରାଯିବ । ଅତ୍ୟାଧୁନିକ ମେସିନ ସହାୟତାରେ ଲୋକମାନେ ନିଜର ବ୍ଲଡ ପ୍ରେସର, ବ୍ଲଡ ସୁଗାର ଭଳି ପରୀକ୍ଷା କରିପାରିବେ ।

କହିରଖୁ କି ରାଜ୍ୟରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି । ରାଜ୍ୟରେ ପ୍ରତ୍ୟେକ ଦିନ ୨.୫ ଲକ୍ଷରୁ ଅଧିକ ଲୋକଙ୍କ କୋଭିଡ ଟେଷ୍ଟ କରାଯାଉଛି । ଗତ ୨୪ ଘଂଟାରେ ରାଜ୍ୟରେ ୨,୭୦,୭୨୩ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହାସହ ଗତ ୨୪ ଘଂଟାରେ ରାଜ୍ୟରେ ମାତ୍ର ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।